୩ ବେଆଇନ ସ’ ମିଲରେ ଚଢ଼ାଉ : ୧୧ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, କାଠ ଜବତ

ରୂପ୍‌ସା/ବସ୍ତା, ୧୪।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସଦର ଓ ବସ୍ତା ଥାନା ଅଞ୍ଚଳରେ ଚାଲିଥିବା ୩ଟି ବେଆଇନ୍‌ ସ’ ମିଲ ଉପରେ ଶନିବାର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢାଉ ବେଳେ ୧୧ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି। ମିଲ ମାଲିକଙ୍କ ବିରୋଧରେ ବିଭାଗ ପକ୍ଷରୁ ୩ଟି ପୃଥକ୍‌ ମାମଲା (ନଂ. ୬୦/୬୧/୬୨-୧୯) ରୁଜୁ କରାଯାଇଛି।
ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ବନବିଭାଗ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସଦର ଥାନାର ପଦାଗାଁ, ବସ୍ତା ଥାନା ଧପାଖନ୍ଦ ଓ ପୋଡ଼ାପୋଡ଼ା ଗ୍ରାମରେ ଥିବା କରତକଳ ଉପରେ ଚଢ଼ାଉ କରିଥିଲା। କରତକଳ ମାଲିକ ସଦର ଥାନା ପଦାଗାଁର ପ୍ରଫୁଲ୍ଲ ଚନ୍ଦ୍ର ଦାସ, ବସ୍ତା ଥାନା ଧପାଖନ୍ଦ ଗାଁର ଭବାନୀଶଙ୍କର ପ୍ରଧାନ ଓ ପୋଡ଼ାପୋଡ଼ା ଗ୍ରାମର ରଘୁନାଥ ଗିରି ଓ କର୍ମଚାରୀ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରିନାହଁି।