Categories: ଜାତୀୟ

୩ ଭାଜପା ନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଯେଉଁ ୩ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ସିଏଏ ହିଂସା ଜୋରଦାର ହେଲା ବୋଲି କୁହାଯାଉଛି, ସେମାନଙ୍କ ବିରୋଧରେ କ’ଣ ପାଇଁ ଏତଲା ଦାଏର ହୋଇନି ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ପୋଲିସକୁ ପ୍ରଶ୍ନ କରିଛନ୍ତି। ଏତଲା ଦାଏର ପାଇଁ ନିଷ୍ପତ୍ତି ନେଇ ଗୁରୁବାର ସୁଦ୍ଧା ଜଣାଇବାକୁ ଅଦାଲତ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଉପସ୍ଥିତ ଥିବା ସ୍ବତନ୍ତ୍ର ପୋଲିସ କମିଶନରଙ୍କୁ ଅଦାଲତ ନିଜର ଅସନ୍ତୋଷ ଜଣାଇଦେଇଛନ୍ତି। ଦିଲ୍ଲୀ ଅତୀତରେ ଅନେକ ହିଂସା ଦେଖିଛି। ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଭଳି ସ୍ଥିତି ହେବାକୁ ଦିଆଯିବ ନାହିଁ ବୋଲି ହାଇକୋର୍ଟ କହିଥିଲେ। ପୋଡ଼ାଜଳା, ଲୁଟ୍‌, ଢେଲାମାଡ଼ ଆଦିକୁ ନେଇ ପୋଲିସ ୧୧ଟି ଏତଲା ଦାଏର କରିଛି। ତେବେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବା ଭାଜପା ନେତାଙ୍କ ବିରୋଧରେ କ’ଣ ପାଇଁ ଏତଲା ଦିଆଗଲାନି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଉତ୍ତେଜକ ଭାଷଣ ଦେଇଥିବା ଭାଜପାର ୩ ନେତା ହେଲେ କପିଲ ମିଶ୍ରା, ଅନୁରାଗ ଠାକୁର ଏବଂ ପରଭେଶ ବର୍ମା। ପୋଲିସ କମିଶନରଙ୍କ ସହ ଆଲୋଚନା କରି ଏବଂ ଭିଡିଓ କ୍ଲିପ୍‌ଗୁଡ଼ିକର ଅନୁଧ୍ୟାନ କରିବା ପରେ ଏତଲା ଦାଏର ନେଇ ଏକତ୍ର ନିଷ୍ପତ୍ତି ନେବେ ବୋଲି ସ୍ବତନ୍ତ୍ର କମିଶନର ପ୍ରବୀର ରଞ୍ଜନ ହାଇକୋର୍ଟଙ୍କୁ କହିଛନ୍ତି। ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ତଲଓ୍ବନ୍ତ ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ପୃକ୍ତ ପକ୍ଷମାନଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ।
ଏହା ପୂର୍ବରୁ ମଙ୍ଗଳବାର ମଧ୍ୟରାତ୍ରରେ ଦିଲ୍ଲୀ ହାଇକୋର୍ଟ ହିଂସା ଘଟଣାର ଜରୁରୀ ଶୁଣାଣି କରି ଆହତମାନଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲରେ ପହଞ୍ଚାଇବା ଓ ଜରୁରୀ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କ ବାସଭବନରେ ରାତି ୧୨ଟା ୩୦ରେ ଏହି ଶୁଣାଣି ହୋଇଥିଲା।

Share