Categories: ଖେଳ

୩ ଭାରତୀୟ ବାସ୍କେଟବଲ ଖେଳାଳି ଅଟକ

ନୂଆଦିଲ୍ଲୀ,୮।୧୧- ଦେଶର ଟପ୍‌ ବାସ୍କେଟବଲ ଖେଳାଳି ଅମଜ୍ୟୋତ ସିଂ, ଅର୍ଶପ୍ରୀତ ଭୁଲାର ଓ ଅମରିତପଲ ସିଂଙ୍କୁ ବୁଧବାର ରାତିରେ ବିଦ୍ୟାନଗର ଥାନା ଲକ ଅଫ୍‌ରେ ୪ ଘଣ୍ଟା ବିତାଇବାକୁ ପଡ଼ିଛି। ଏହି ଖେଳାଳିମାନେ ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଜାତୀୟ କ୍ୟାମ୍ପକୁ ଫେରୁଥିବାବେଳେ ରାସ୍ତା କଡ଼ରେ ଝଗଡ଼ା କରୁଥିଲେ। ସେମାନଙ୍କୁ ସେଠାରେ ପୋଲିସ ଗିରଫ କରିଥିଲା ବୋଲି ଭାରତୀୟ ବାସ୍କେଟବଲ ଫେଡେରେଶନ (ବିଏଫ୍‌ଆଇ)ର ସାଧାରଣ ସମ୍ପାଦକ ଚନ୍ଦର ମୁଖୀ ଶର୍ମା କହିଛନ୍ତି। ଏହି ୩ ଖେଳାଳି ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସମସ୍ତ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଖେଳିଥିଲେ। ତିନିଜଣଙ୍କ ସହ ଜଣେ ୧୭ ବର୍ଷରୁ କମ୍‌ ଜୁନିୟର ଖେଳାଳି ଥିଲେ। ନାବାଳକ ହୋଇଥିବାରୁ ତାଙ୍କ ନାମ ଗୁପ୍ତ ରଖାଯାଇଛି। ସେମାନେ ବିଏଫ୍‌ଆଇ ଅଫିସିଆଲ କିମ୍ବା କାର୍ଯ୍ୟରତ କୋଚଙ୍କୁ ନ ଜଣାଇ ଦୁଇ ମୋଟର ସାଇକେଲରେ ବାହାରିଥିଲେ। ଗୋଟିଏ ବାଇକ୍‌ ସ୍କିଡ କରିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ। ଜାତୀୟ ଶିବିର ନିୟମ ଭାଙ୍ଗିବା ପାଇଁ ନୋଟିସ ଦିଆଯାଇଛି। ବିଏଫ୍‌ଆଇ ଅଫିସିଆଲଙ୍କ ୩ ଜଣିଆ କମିଟି ଗଠନ କରାଯାଇଛି, ଯାହା ଏହି ଘଟଣାର ତଦନ୍ତ କରିବ। ଏ ସମ୍ପର୍କରେ କୋଚ୍‌ଙ୍କୁ ଯଥା ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ୩ ଖେଳାଳି ଦୋଷୀ ସାବ୍ୟସ୍ତ ହେଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଏଭଳି ବିଶୃଙ୍ଖଳିତ କାର୍ଯ୍ୟ କଦାପି ଗ୍ରହଣୀୟ ନୁହେଁ। ତିନି ଜଣଙ୍କ ସହ ଥିବା ଜୁନିୟର ଖେଳାଳି କେବଳ ତାଙ୍କ ସହ ଯାଇଥିଲେ, ମାଦକ ଦ୍ରବ୍ୟ ସେବନ କରି ନ ଥିଲେ ବୋଲି ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଅଧିନାୟକ ଅମଜ୍ୟୋତ ଅଭିଯୋଗ କରିଛନ୍ତି, ବିଏଫ୍‌ଆଇ ସମ୍ପୂର୍ଣ୍ଣ ତଥ୍ୟ ଦେଉ ନାହିଁ। ମୋ ମତକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଫେସବୁକ ପୋଷ୍ଟରେ ଦାବି କରିଛନ୍ତି। ସେ କହିଛନ୍ତି, କ୍ୟାମ୍ପରେ ଏକ ଝଗଡ଼ାବେଳେ ଅର୍ଶପ୍ରୀତ ମୋତେ ବାଡ଼େଇବା ସହ ଧମକ ଦେଇଥିଲେ। ୨୭ ବର୍ଷୀୟ ଖେଳାଳି ନିଜ ଆହତ ଆଣ୍ଠୁ ଓ ହାତର ଫଟୋ ପୋଷ୍ଟ କରିଛନ୍ତି। ଯାହାକି ଅର୍ଶପ୍ରୀତ ଓ ପୋଲିସ ଆକ୍ରମଣରେ ହାଇଛି। ପୂର୍ବରୁ ଅମଜ୍ୟୋତଙ୍କୁ ବିଶୃଙ୍ଖଳିତ ଗତ କାରଣ ଯୋଗୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଥିଲା। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାବେଳେ ଅଧିନାୟକ ଯଦଓ୍ବିନ୍ଦର ସିଂଙ୍କୁ ଚଟକଣା ମାରିଥିଲେ।

Share