୩ ମାଲବାହୀ ଗାଡ଼ିକୁ ଯୋଡ଼ାଗଲା: ୧୭୭ ଓ୍ବାଗନ ନେଇ ଯାତ୍ରା କଲା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌

ବିଳାସପୁର,୮।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ୩ ମାଲବାହୀ ଗାଡ଼ିକୁ ଯୋଡ଼ାଯାଇଛି। ମୋଟ ୧୭୭ଟି ଓ୍ବାଗନକୁ ନେଇ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ ୨୨୦ କିମିକୁ ୭ ଘଣ୍ଟାରେ ପୂରଣ କରିଛି। ଦକ୍ଷିଣ-ପୂର୍ବ- ମଧ୍ୟ ରେଲଓ୍ବେର ରାୟପୁର ଡିଭିଜନ ପକ୍ଷରୁ ୩ଟି ଇଲେକ୍ଟ୍ରିକ୍‌ ଇଞ୍ଜିନ ସହିତ ୩ଟି ମାଲଗାଡ଼ିକୁ ଯୋଡ଼ା ଯାଇଛି। ଏସବୁ ମାଲବାହି ଗାଡ଼ିକୁ ନେଇ ଗଠିତ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ର ଲମ୍ବ ୨ କିମି ହୋଇଯାଇଥିଲା। ପ୍ରତି ମାଲବାହୀ ଗାଡ଼ିରେ ୫୯ ଓ୍ବାଗନ ଥିଲା ବୋଲି ରାୟପୁର ଡିଭିଜନ ପକ୍ଷରୁ କୁହାଯାଇଛି। ଭିଲାଇ ଲୋକୋ ରୋଡ୍‌ଠାରୁ ଅପରାହ୍ନ ୨ଟା ୨୦ରେ ଯାତ୍ରା ଆରମ୍ଭ କରିଥିବା ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ ସନ୍ଧ୍ୟା ୬ଟା ୪୦ରେ ବିଳାସପୁରରେ ପହଞ୍ଚିଥିଲା। ପରେ ଏହା ରାତ୍ର ୧୦ଟା ୫ରେ କୋରବାରେ ପହଞ୍ଚିଥିଲା। ଏହାପୂର୍ବରୁ ଆନାକୋଣ୍ଡା ଗୁଡସ୍‌ ଟ୍ରେନ୍‌ ୨୦୧୯ ମେ ୩୧ରେ ଡିଜେଲ ଇଞ୍ଜିନ୍‌ରେ ପରୀକ୍ଷାମୂଳକ ଭାବେ ଯାତ୍ରା କରିଥିଲା।

Share