Categories: ବାଣିଜ୍ୟ

୩ ମାସରେ ଏଜିଆର୍‌ ଆଦାୟ ଲାଗି ସରକାରଙ୍କ ଲକ୍ଷ୍ୟ

ନୂଆଦିଲ୍ଲୀ,୧୫-୧୧: ଦେଶର ଟେଲିକମ୍‌ କମ୍ପାନୀଙ୍କଠାରୁ ୩ ମାସ ମଧ୍ୟରେ ଆଡଜଷ୍ଟେଟେଡ ଗ୍ରସ୍‌ ରେଭେନ୍ୟୁ (ଏଜିଆର୍‌) ଦେୟ ବାବଦ ଅର୍ଥ ଆଦାୟ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଦେୟକୁ କମ୍ପାନୀଗୁଡିକ ୩ ମାସରେ ପ୍ରଦାନ କରନ୍ତୁ ବୋଲି ସରକାର ଚାହୁଁଛନ୍ତି। ଟେଲିକମ୍‌ କମ୍ପାନୀଗୁଡିକ ଉପରେ ପ୍ରାୟ ୯୨ ହଜାର କୋଟି ଟଙ୍କାର ଦେୟ ରହିଥିବା ବେଳେ ଏହାକୁ ପୈଠ କରିବା ଲାଗି ସୁପ୍ରିମକୋର୍ଟ କମ୍ପାନୀଗୁଡିକୁ ଅକ୍ଟୋବର ୨୪ରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ଟେଲିକମ ବିଭାଗ ଦେୟ ଆଦାୟ ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ଲାଇସେନ୍ସ ଚୁକ୍ତି ମୁତାବକ ବିଭିନ୍ନ ଆନୁଷଙ୍ଗିକ ଆକଳନ ଦ୍ୱାରା କମ୍ପାନୀଗୁଡିକ ଦେୟ ପ୍ରଦାନ କରନ୍ତୁ ବୋଲି ବିଭାଗ ଚିଠିରେ ଉଲ୍ଲେଖ କରିଛି। ଏହି ମାମଲା ଉପରେ ଏକ ରିଭ୍ୟୁ ପିଟିଶନ ସୁପ୍ରିମକୋର୍ଟରେ ଦାଏର କରିବା ଲାଗି କମ୍ପାନୀ ଯୋଜନା କରୁଥିବା ଶୁଣାଯାଉଛି। ଟେଲିକମ ଶିଳ୍ପ ଲାଗି ଏକ ପ୍ୟାକେଜ ଆଣିବା ଲାଗି ସରକାର ଚିନ୍ତା କରୁଛନ୍ତି। ଏଥିରେ ଲାଇସେନ୍ସ ଫି ହ୍ରାସ ଏବଂ ଦେୟ ପ୍ରଦାନ ଉପରେ ୨ ବର୍ଷର ମୋରାଟୋରିୟମ ଦେବାକୁ ବିଚାର କରାଯାଉଛି।

Share