୩ ମାସରେ ୫୦୨ ଝିଅ ନିଖୋଜ : ଭୁବନେଶ୍ୱର, କଟକ ସ୍ଥିତି ଉଦ୍‌ବେଗଜନକ

ଭୁବନେଶ୍ୱର, ୨୨ା୭(ବ୍ୟୁରୋ) : ରାଜ୍ୟରେ ବଢୁଛି ନିଖୋଜ ଝିଅଙ୍କ ସଂଖ୍ୟା। ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ୫୦୨ଜଣ ଝିଅ ନିଖୋଜ ହୋଇଛନ୍ତି। ସେଥିମଧ୍ୟରୁ ୭୯ ଜଣଙ୍କ ସନ୍ଧାନ ମିଳିଛି। ଏନେଇ ମଧ୍ୟ ୪୫୫ଟି ମାମଲା ରୁଜୁ ହୋଇଛି। ସେହିଭଳି ୧୦୦ ଜଣ ପୁଅ ମଧ୍ୟ ନିଖୋଜ ହୋଇଥିବାବେଳେ ୩୧ ଜଣଙ୍କ ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ୯୫ଟି ମାମଲା ରୁଜୁ ହୋଇଛି। ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ସେହିଭଳି ୨୦୧୮ରେ ରାଜ୍ୟରେ ୧୮୭୫ ଜଣ ଝିଅ ନିଖୋଜ ହୋଇଥିବାବେଳେ ୮୫୪ ଜଣଙ୍କ ସନ୍ଧାନ ମିଳିଛି ଓ ଏ ସଂକ୍ରାନ୍ତରେ ୧୭୨୦ଟି ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ୪୫୯ଜଣ ପୁଅ ନିଖୋଜ ହୋଇଥିବାବେଳେ ସେଥିମଧ୍ୟରୁ ୨୮୫ ଜଣଙ୍କ ସନ୍ଧାନ ମିଳିଛି। ଏନେଇ ମଧ୍ୟ ୩୯୬ଟି ମାମଲା ରୁଜୁ ହୋଇଛି। ତେବେ ଭୁବନେଶ୍ୱର ଓ କଟକର ସ୍ଥିତି ଉଦ୍‌ବେଗଜନକ ରହିଛି। ଉକ୍ତ ବର୍ଷ ଏଠାରେ ୧୩୯ ଜଣ ଝିଅ ନିଖୋଜ ହୋଇଥିବାବେଳେ ୬୮ ଜଣଙ୍କ ସନ୍ଧାନ ମିଳିଛି ଓ ୧୩୦ଟି ମାମଲା ରୁଜୁ ହୋଇଛି। ୪୦ଜଣ ପୁଅ ନିଖୋଜ ହୋଇଥିବାବେଳେ ୨୬ଜଣଙ୍କ ସନ୍ଧାନ ମିଳିଛି। ଏ ସଂକ୍ରାନ୍ତରେ ୩୫ଟି ମାମଲା ରୁଜୁ କରାଯାଇଛି। କଟକରେ ୧୨୯ଜଣ ଝିଅ ନିଖୋଜ ହୋଇଥିବାବେଳେ ୬୨ଜଣଙ୍କ ସନ୍ଧାନ ମିଳିଛି। ଏନେଇ ମଧ୍ୟ ୧୨୬ଟି ମାମଲା ରୁଜୁ କରାଯାଇଛି। ସେହିପରି ୪୩ଜଣ ପୁଅ ନିଖୋଜ ଥିବାବେଳେ ୨୭ଜଣଙ୍କ ସନ୍ଧାନ ମିଳିଛି ଓ ବିଭିନ୍ନ ଥାନାରେ ୪୧ ମାମଲା ରୁଜୁ କରାଯାଇଥିବା ମନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି।

Share