୩ ଯୁବକ ଗିରଫ: ୭୨ ବ୍ୟାଟେରି ଜବତ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ରାଜଧାନୀବାସୀଙ୍କ ସୁରକ୍ଷା ନିମନ୍ତେ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଖଞ୍ଜାଯାଇଥିବା ସିସିଟିଭି କ୍ୟାମେରାର ବ୍ୟାଟେରି ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍‌ କରିଛି କମିଶନରେଟ ପୋଲିସ। ସିସିଟିଭି କଣ୍ଟ୍ରୋଲ ରୁମ୍‌ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ ଥାନା ପୋଲିସ ଏହି ଗ୍ୟାଙ୍ଗର ୩ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭୨ଟି ବ୍ୟାଟେରି ଜବତ କରିଛି। ଗିରଫ ୩ ଯୁବକ ହେଲେ ଖାରବେଳନଗର ଥାନା ଅନ୍ତର୍ଗତ ମସଜିଦ କଲୋନୀ ଅଞ୍ଚଳର ଖେଖ ମୁସ୍ତାକିମ, ଶେଖ୍‌ କୌସର ଅଲି ଓ ଶେଖ୍‌ ଶାହାଦତ୍‌।
ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ସିସିଟିିଭି କ୍ୟାମେରା ଖଞ୍ଚାଯାଇଛି। ଏଜି ଛକ, ଶିଶୁଭବନ ଛକ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାର ବ୍ୟାଟେରି ଚୋରି ହେଉଥିବା ଜଣାପଡ଼ିିଥିଲା। ଏହାକୁ କଣ୍ଟ୍ରୋଲ ରୁମ କର୍ମଚାରୀ ଯାଞ୍ଚ କରିବା ପରେ ରାତି ୨ଟା ପରେ କେତେଜଣ ଯୁବକ କଟର ସାହାଯ୍ୟରେ ବକ୍ସକୁ କାଟି ସିସିଟିଭି ବ୍ୟାଟେରି ଚୋରି କରି ଫେରାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏ ନେଇ କଣ୍ଟ୍ରୋଲ ରୁମ କର୍ମଚାରୀ ପ୍ରଦୀପ ମାହାଲ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା। କଣ୍ଟ୍ରୋଲ ରୁମ୍‌ କର୍ମଚାରୀମାନେ ଅଭିଯୁକ୍ତଙ୍କ ଫଟୋ ବାହାର କରିବା ସହ ସେମାନଙ୍କୁ ଧରିବା ପାଇଁ ରାତିରେ ସଜାଗ ରହିଥିଲେ। ଗୁରୁବାର ରାତି ୨ଟା ପରେ ଶିଶୁଭବନ ଟ୍ରାଫିକ ଛକରେ ଉପରୋକ୍ତ ୩ ଅଭିଯୁକ୍ତ ବ୍ୟାଟେରି ଚୋରି କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। କଣ୍ଟ୍ରୋଲ ରୁମ୍‌ କର୍ମଚାରୀ ପ୍ରଦୀପ ତୁରନ୍ତ ଥାନାକୁ ଜଣାଇବା ପରେ ଘଟଣାସ୍ଥଳରେ ୨ଟି ପିସିଆର୍‌ ଚଢାଉ କରି ୩ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଥାନାକୁ ଆଣି ପୋଲିସ ପଚରାଉଚରା କରିବା ସହ ତଲାସି କରିବାରୁ ସେମାନଙ୍କ ନିକଟରୁ ୭୨ଟି ବ୍ୟାଟେରି ମିଳିଥିଲା। ଏଥିସହ ଏହି ଗ୍ୟାଙ୍ଗରେ ଆହୁରି ଅନେକ ଯୁବକ ସାମିଲ ଥିବା ତଦନ୍ତରୁ ଜଣାପଡ଼ିିଥିଲା। ଏ ନେଇ ପୋଲିସ କେସ୍‌ (ନଂ ୭୦/୨୦) ରୁଜୁ କରି ୩ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share