୩ ରଥରେ ଭଙ୍ଗାଗଲା ୯ ଅଧର ହାଣ୍ଡି

ପୁରୀ ଅଫିସ, ୧୫ା୭: ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ରବିବାର ସମ୍ପନ୍ନ ହୋଇଛି ଅଧରପଣା ନୀତି। ରଥାରୁଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ଛୁଟିଦିନ ଏବଂ ଅନୁକୂଳ ପାଗ ଯୋଗୁ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି ଦାର୍ଶନ କରିଛନ୍ତି।
ତିନିରଥରେ ମଧ୍ୟାହ୍ନ ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ। ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ଲାଗି ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର ଓ ଜାଇଫଳ ଆଣି ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା। ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧାଯାଇଥିଲା। ଏହାପରେ ମହାସୁଆରମାନେ ପଣା ପାଇଁ ଆସିଥିବା ସାମଗ୍ରୀ ମିଶାଇ ପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗା ଯାଇଥିଲା। ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହିଯାଇଥିଲା। ଉକ୍ତ ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷାସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ୮ଟାରେ ଅଧରପଣା ନୀତି ଶେଷ ହେବାକୁ ଥିବା ବେଳେ ଏହା ରାତି ୯ଟା ୨୭ରେ ସରିଥିଲା। ପ୍ରଥମେ ତାଳଧ୍ୱଜ ରଥରେ ୯ଟା ୧୦, ଦର୍ପଦଳନ ରଥରେ ୯ଟା ୧୨ ଏବଂ ଶେଷରେ ନନ୍ଦିଘୋଷ ରଥରେ ୯ଟା ୨୭ରେ ଅଧରପଣା ହାଣ୍ଡି ଭଙ୍ଗା ଯାଇଥିଲା। ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ।
ତେବେ ବିଗତ କିଛିବର୍ଷକୁ ଦେଖିଲେ ଅଧରପଣା ଦିନ ଶ୍ରୀକ୍ଷେତ୍ରରେ ଏତେ ସଂଖ୍ୟାରେ ଭକ୍ତଙ୍କ ଗହଳି ନ ଥାଏ। କିନ୍ତୁ ଚଳିତବର୍ଷ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଏହି ଅଧରପଣା ନୀତି ଦର୍ଶନ କରିଛନ୍ତି। ଦ୍ୱିତୀୟ ଶନିବାର ଏବଂ ରବିବାର ଛୁଟିଦିନ ଥିବାରୁ ବହୁ ସଂଖ୍ୟକ ଲୋକ ସପରିବାର ପୁରୀରେ ରହିଛନ୍ତି। ତେଣୁ ଅଧରପଣା ନୀତି ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି।

Share