୩ ରେଳ ଷ୍ଟେଶନରେ ହେବ ବାୟୋଗ୍ୟାସ୍‌ ପ୍ଲାଣ୍ଟ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ବର୍ଜ୍ୟ ପରିଚାଳନା ପାଇଁ ପୁରୀ, କଟକ ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ବାୟୋଗ୍ୟାସ୍‌ ପ୍ଲାଣ୍ଟ ସ୍ଥାପନ ହେବ। ଷ୍ଟେଶନରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ତାହାକୁ ବ୍ୟବହାରଯୋଗ୍ୟ କରାଯିବ। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ରାଜ୍ୟସଭାରେ ଏହି ଉତ୍ତର ରଖିଛନ୍ତି। ଏହି ୩ ଷ୍ଟେଶନ ବ୍ୟତୀତ ରାଜ୍ୟର ଅନ୍ୟ ପ୍ରମୁଖ ରେଳ ଷ୍ଟେଶନରେ ମଧ୍ୟ ବାୟୋଗ୍ୟାସ୍‌ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା ରହିଛି ବୋଲି ପୀୟୂଷ କହିଛନ୍ତି।
ଓଡ଼ିଶାର ପ୍ରମୁଖ ରେଳ ଷ୍ଟେଶନରେ ବର୍ଜ୍ୟ ପରିଚାଳନା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ସସ୍ମିତ୍‌ ପ୍ରଶ୍ନ କରିଥିଲେ। ଉତ୍ତର ରଖି ରେଳମନ୍ତ୍ରୀ ପିୟୂଷ କହିଥିଲେ, ଭୁବନେଶ୍ୱର ଓ ପୁରୀ ଷ୍ଟେଶନରେ ଦୁଇଟି ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ କରୁଛି। ଟ୍ରେନ୍‌ ଧୂଆଁରୁ ନିର୍ଗତ ଜଳକୁ ପ୍ରକ୍ରିୟାକରଣ କରାଯାଇ ଏହାକୁ ପୁନଃ ବ୍ୟବହାରଯୋଗ୍ୟ କରାଯାଉଛି। ସେହିପରି ଖୋର୍ଦ୍ଧାରୋଡ଼ ରେଳ ଷ୍ଟେଶନରେ ଏକ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ସମ୍ବଲପୁର ଷ୍ଟେଶନରେ ପ୍ଲାଣ୍ଟ୍‌ ନିର୍ମାଣ ଚାଲିଛି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଭିନ୍ନ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବାକୁ ଯୋଜନା କରାଯାଉଛି। ଉକ୍ତ ଘରୋଇ ସଂସ୍ଥା ଷ୍ଟେଶନରୁ କଠିନ ବର୍ଜ୍ୟବସ୍ତୁ କିଣି ଏହାକୁ ପ୍ରକ୍ରିୟାକରଣ କରି ବ୍ୟବହାରଯୋଗ୍ୟ କରିବେ କିମ୍ବା ଏଥିରୁ ଶକ୍ତି ଉତ୍ପାଦନ କରିବେ। ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ପାଇଁ ବଟଲ କ୍ରସିଂ ମେଶିନ ବ୍ୟବହାର କରାଯାଉଛି ଓ ୫୦ ମାଇକ୍ରୋନରୁ କମ୍‌ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ କରାଯାଇଛି। ପୁରୀ, କଟକ, ସମ୍ବଲପୁର ଓ ଭୁବନେଶ୍ୱର ରେଳ ଷ୍ଟେଶନରେ ପ୍ଲାଷ୍ଟିକ କ୍ରସିଂ ମେଶିନ ଲଗାଯାଇଛି ବୋଲି ମନ୍ତ୍ରୀ କହିଥିଲେ।

Share