Categories: ବାଣିଜ୍ୟ

୩ ଲକ୍ଷ କୋଟିର ଅତିରିକ୍ତ ପ୍ୟାକେଜ ଲୋଡ଼ା

ନୂଆଦିଲ୍ଲୀ,୯।୪: କୋଭିଡ୍‌-୧୯ ବିରୋଧରେ ଲଢିବା ଲାଗି ଦେଶର ଅର୍ଥ ବ୍ୟବସ୍ଥାକୁ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଲୋଡା ପଡୁଥିବା ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ବୁଧବାର କୁହାଯାଇଛି। ସରକାର ନିକଟରେ କରୋନା ପ୍ରଭାବକୁ କମ୍‌ କରିବା ଲାଗି ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟରେ ୭୩ ହଜାର କୋଟି ଟଙ୍କା କେବଳ ନୂଆ ଘୋଷଣା। ଅନ୍ୟ ଘୋଷଣାଗୁଡିକ ବଜେଟରେ ବ୍ୟବସ୍ଥା କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାକୁ ଦେଖିଲେ ସରକାରଙ୍କ ଘୋଷଣା ପର୍ଯ୍ୟାପ୍ତ ନୁହେଁ। ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥା ଲାଗି ଅଧିକ ପ୍ୟାକେଜ ଆବଶ୍ୟକ ବୋଲି ଏସ୍‌ବିଆଇ ରିସର୍ଚ୍ଚର ଅର୍ଥନୀତିଜ୍ଞ ମାନେ ଗୁରୁତ୍ୱାରୋପ କରିଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ପ୍ରଭାବିତ ଶିଳ୍ପ ଜଗତ ଲାଗି ବଡ ଆର୍ଥତ୍କ ପ୍ୟାକେଜର ଆବଶ୍ୟକତା ରହିଛି। କୋଭିଡ-୧୯ ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଲାଗି ରହିଥିଲା। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ବଜାରକୁ ଆହୁରି କ୍ଷତିଗ୍ରସ୍ତ କରିବ ବୋଲି ଆଶଙ୍କା କରାଯାଇଛି। କେତେକ ବଜାର ବିଶେଷଜ୍ଞ କହିଛନ୍ତି ଯେ, ଚଳିତ ଆର୍ଥତ୍କ ବର୍ଷରେ ଦେଶର ବିକାଶ ହାର ୨%କୁ ଖସିଯିବ। ଶିଳ୍ପ ଜଗତ ସହ ଦେଶର ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକ ଲାଗି କିଛି ବ୍ୟବସ୍ଥା କରିବା ନେଇ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ଥିତି ବିଗିଡିଲେ ଏହି ସଂସ୍ଥାଗୁଡିକର ପୁଞ୍ଜି ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ଆସିବାର ଆଶଙ୍କା କରାଯାଉଛି। ସେହିଭଳି ହୋଟେଲ ଶିଳ୍ପ, ବ୍ୟବସାୟ, ଶିକ୍ଷା, ପେଟ୍ରୋଲିୟମ ଏବଂ କୃଷି କ୍ଷେତ୍ରକୁ ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

Share