୩ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ ୧୨ ବର୍ଷର ଝିଅ

ନୋଏଡା,୨।୬: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ହଜାର ହଜାର କିଲୋମିଟର ଚାଲି ଚାଲି ଘରକୁ ଫେରୁଥିଲା ବେଳେ ଅନ୍ୟକେହି ଘରେ ପହଞ୍ଚିଲା ବେଳକୁ ଭୋକ ଉପାସରେ ତା’ର ଜୀବନ ଚାଲି ଯାଉଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୨ ବର୍ଷୀୟ ଝିଅ ନିହାରିକା ଦ୍ୱିବେଦୀ। ସେ ନିଜ ସଞ୍ଚୟ ଟଙ୍କାରେ ୩ ଶ୍ରମିକଙ୍କୁ ବିମାନରେ ନିଜ ଘରକୁ ପଠାଇଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରରେ ରହୁଥିବା ନିହାରିକା ୪୮ ହଜାର ୫୩୦ ଟଙ୍କା ସଞ୍ଚୟ କରି ରଖିଥିଲେ। ଏହି ଟଙ୍କାରେ ସେ ଶ୍ରମିକଙ୍କୁ ଝାଡଖଣ୍ଡ ପଠାଇଛନ୍ତି। ନିହାରିକା କହିଛନ୍ତି ଶ୍ରମିକମାନଙ୍କ ଦୁର୍ଦ୍ଦଶା ଟିଭିରୁ ଦେଖିବାକୁ ପାଇଥିଲି। ସେମାନେ ଆମ ସମାଜ ପାଇଁ ଅନେକ କିଛି କରିଛନ୍ତି ସେମାନଙ୍କ ଅସୁବିଧା ସମୟରେ ଆମେ ଆଗେଇ ଆସିବା ଉଚିତ୍‌। ନିହାରିକା ଯେଉଁ ୩ ଶ୍ରମିକଙ୍କୁ ଘରକୁ ପଠାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ କ୍ୟାନସର୍‌ରେ ପୀଡିତ ଅଛନ୍ତି।

Share