୩ ସପ୍ତାହରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବନ ବିଭାଗ ସଚିବଙ୍କୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଚନ୍ଦକା ଅଭୟାରଣ୍ୟରୁ ବାହାରି ପୁରୀ ଓ ଖୋର୍ଦ୍ଧା ଜିଲାର ଜନବସତି ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏକ ଦନ୍ତା ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ରେ ଶୁଣାଣି ହୋଇଥିଲା। ହାତୀ ଆକ୍ରମଣ ଘଟଣାର ତଦନ୍ତ ରିପୋର୍ଟ ୩ ସପ୍ତାହରେ ଦାଖଲ କରିବାକୁ ବନ ବିଭାଗ ସଚିବ ଓ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତର ଆହତଙ୍କୁ ୩୦ହଜାର ଓ ସାମନ୍ୟ ଆହତଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରିବାକୁ କମିଶନ କହିଛନ୍ତି।
ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏ ନେଇ କମିଶନଙ୍କ ନିକଟରେ ଗତ ସୋମବାର ପିଟିଶନ ଦାଖଲ କରିଥିଲେ। ପ୍ରଦୀପ୍ତ ଉକ୍ତ ପିଟିଶନରେ ଉଲ୍ଲେଖ କରିଥିଲେ ଯେ, ଗୋଟିଏ ବଣୁଆ ଦନ୍ତାହାତୀ ଚନ୍ଦକା ଅଭୟାରଣ୍ୟରୁ ବାହାରି ଆସିଲା କିପରି? ପୁଣି ବନ ବିଭାଗର ଅଧିକାରୀମାନେ କିପରି ଜାଣିପାରିଲେ ନାହିଁ? ଯେତେବେଳେ କଣାସ ଅଞ୍ଚଳରେ ହାତୀ ରହିଥିଲା, ସେତେବେଳେ ଲୋକେ ଫଟୋ ଉଠାଇ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇଲେ। ହେଲେ ଅଧିକାରୀମାନେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ହତୀଟି ୨୪ ଘଣ୍ଟା ବୁଲିବା ପରେ ପିପିଲି, ଡେଲାଙ୍ଗ ଓ ରାଜଧାନୀ ଉପକଣ୍ଠରେ ଆତଙ୍କ ଖେଳାଇଥିଲା। ୪ ଲୋକଙ୍କ ଜୀବନ ନେବାପରେ ବନ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ତେଣୁ ଅବହେଳା କରିଥିବା ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ନିର୍ଦ୍ଦେଶ ଦେବାକୁ କମିଶନଙ୍କୁ ନିବେଦନ କରିଥିଲେ।

Share