୩ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ୬୬୨ ପ୍ରବାସୀ

ବାଲେଶ୍ୱର ଅଫିସ, ୧୮।୫:  ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅହମ୍ମଦାବାଦରୁ ୩ ସ୍ବତନ୍ତ୍ର ଟ୍ରେନ ଯୋଗେ ୬୬୨ ପ୍ରବାସୀ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର।
ପ୍ରଥମ ଟ୍ରେନ ତାମିଲନାଡୁର କୋଏମ୍ବଟୁର ଷ୍ଟେଶନରୁ ବାହାରି ବାଲେଶ୍ୱର ରେଳ ଷ୍ଟେଶନରେ ଶନିବାର ରାତି ୧୧ଟା ୧୦ମିନିଟ୍‌ରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱର ଜିଲାର ୧୦୯ ଓ ମୟୂରଭଞ୍ଜ ଜିଲାର ୧୬୦ଜଣ ପ୍ରବାସୀ ଥିଲେ। ସେହିପରି ଦ୍ୱିତୀୟ ଟ୍ରେନ୍‌ ଆନ୍ଧ୍ରପ୍ରଦେଶ କରନୁଲ ଷ୍ଟେଶନରୁ ବାହାରି ବାଲେଶ୍ୱର ରେଳଷ୍ଟେଶନରେ ରବିବାର ମଧ୍ୟାହ୍ନ ସାଢେ ୧୨ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱର ଜିଲାର ୧୬୫ ଓ ମୟୂରଭଞ୍ଜ ଜିଲାର ୭ ଜଣ ପ୍ରବାସୀ ଥିଲେ। ତୃତୀୟ ଟ୍ରେନ୍‌ ଅହମ୍ମଦାବାଦରୁ ବାହାରି ବାଲେଶ୍ୱର ରେଳ ଷ୍ଟେଶନରେ ରବିବାର ସନ୍ଧ୍ୟା ୭ଟାରେ ପହଞ୍ଚିଥିଲା। ଏଥିରେ ବାଲେଶ୍ୱର ଜିଲାର ୧୧୧ ଓ ମୟୂରଭଞ୍ଜ ଜିଲାର ୧୧୦ ଜଣ ପ୍ରବାସୀ ଥିଲେ। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ଥର୍ମାଲ ଟେଷ୍ଟ କରାଯାଇ ପଞ୍ଜୀକୃତ କରାଯାଇଥିଲା। ସମସ୍ତ ପ୍ରବାସୀଙ୍କୁ ଛାଡିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ବସ୍‌ ବ୍ୟବସ୍ଥା କରାଯାଇଛି। ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଉଛନ୍ତି।