୩ ହରିଣଙ୍କୁ ଲିଭିଂ ରୁମ୍‌କୁ ଡାକି ୩୯୦୦୦ ଜରିମାନା ଗଣିଲେ ମହିଳା

ଓ୍ବାଶିଂଟନ୍‌,୧୨ା୨: ଆମେରିକାର କଲରାଡୋରେ ରହୁଥିବା ଜଣେ ମହିଳା ୩ ହରିଣଙ୍କୁ ଲିଭିଂ ରୁମ୍‌କୁ ଡାକି ଜରିମାନା ଗଣିଛନ୍ତି। ମହିଳା ଜଣଙ୍କ ହରିଣଙ୍କୁ ଦେଖି ବିଭୋର ହୋଇଯାଇଥିଲେ। ହରିଣଗୁଡ଼ିକୁ ଘରକୁ ଆଣି ତାଙ୍କୁ ବ୍ରେଡ୍‌ ଏବଂ ଫଳ ଖାଇବାକୁ ଦେଇଥିଲେ। ଭୋକିଲା ହରିଣଗୁଡ଼ିକ ଏସବୁ ଖାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିିଆରେ ଭାଇରାଲ ହୋଇଥିଲା। ଏହାର ଯାଞ୍ଚ ପାଇଁ ପାର୍କ ଏବଂ ବନ୍ୟଜନ୍ତୁ ଅଧିକାରୀଙ୍କ ନିକଟରେ ଦାବି ହୋଇଥିଲା। ତେଣୁ ଅଧିକାରୀ ସଂପୃକ୍ତା ମହିଳାଙ୍କ ଉପରେ ୫୫୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୩୯ ହଜାର ୧୭୨ ଟଙ୍କା ଜରିମାନା କରିଛନ୍ତି।
କଲରାଡୋ ପାର୍କ ଆଣ୍ଡ୍‌ ଓ୍ବାଇଲ୍ଡଲାଇଫ୍‌ଜ ନର୍ଥ ଇଷ୍ଟ ଅଞ୍ଚଳର ବନ୍ୟ ଅଧିକାରୀ କୁହନ୍ତି, କଲରାଡୋ ଜଙ୍ଗଲରେ ପଶୁପକ୍ଷୀଙ୍କୁ ନେଇ ପୋଷା ଭାବେ ପାଳନ କରିବା ଆଇନ ବାହାରେ। ବନ୍ୟ ପଶୁପକ୍ଷୀ ଜଙ୍ଗଲର ଫଳମୂଳ ଗଛପତ୍ର ଖାଇ ବଞ୍ଚିବା କଥା। ତେଣୁ ସେମାନଙ୍କୁ ନେଇ ବ୍ରେଡ୍‌ ଏବଂ ଫଳ ଦେବା ଦଣ୍ଡନୀୟ ଅପରାଧ। ଅନ୍ୟପକ୍ଷରେ ଜରିମାନା ଦେଇଥିବା ଲୋରୀ ଡିକ୍ସନ କୁହନ୍ତି, ମୁଁ କିଛିବର୍ଷ ଧରି ଭେଟନାରୀ ଟେକ୍ନିସିଆନ ଭାବେ କାର୍ଯ୍ୟ କରିଆସୁଛି। ଜୀବଜନ୍ତୁଙ୍କ ସହ ସହଜରେ କାମ କରୁଛି। ଯଦି ସେମାନେ ମୋ’ ନିକଟକୁ ଆସିଲେ ସେମାନଙ୍କର ଯତ୍ନ ନେବା କ’ଣ ମୋର କର୍ତ୍ତବ୍ୟ ନୁହେଁ କି? ଏଥିପାଇଁ ମୁଁ ହରିଣଗୁଡ଼ିକୁ ଖାଇବାକୁ ଦେଇଥିଲି।
କଲରାଡୋ ପାର୍କ ଆଣ୍ଡ୍‌ ଓ୍ବାଇଲ୍ଡଲାଇଫ୍‌ଜ ନର୍ଥ ଇଷ୍ଟ ଅଞ୍ଚଳର ଜିଲା ପ୍ରବନ୍ଧକ ଟ୍ରିନା ଲିଞ୍ଚ କୁହନ୍ତି, ଥଣ୍ଡା ଯୋଗୁ ହରିଣମାନେ ଜଙ୍ଗଲ ଛାଡ଼ି ଜନବସତିକୁ ଚାଲି ଆସୁଛନ୍ତି। ସେମାନେ ଖାଦ୍ୟ ଅନ୍ବେଷଣରେ ଆସିଥିବା ଅନୁମାନ କରାଯାଉଛି। ତେଣୁ ସେମାନଙ୍କୁ ଅନ୍ୟ କିଛି ଖାଇବାକୁ ଦେବା ଅନୁଚିତ। କାରଣ ଲାଭ ବ୍ୟତୀତ ଏମାନଙ୍କର ଅଧିକ କ୍ଷତି ହୋଇଥାଏ।

Share