Heavy rain at Mahim on Wednesday. Express photo by Nirmal Harindran, 4th September 2019, Mumbai.
ଭୁବନେଶ୍ୱର,୩ା୨(ବ୍ୟୁରୋ): କିଛିଦିନ ଧରି ଉଭାନ୍ ହୋଇଯାଇଥିବା ଶୀତ ଏବେ ପୁଣି ଫେରିବା ଆରମ୍ଭ କରିଛି। ସନ୍ଧ୍ୟା ହେଲେ ଥଣ୍ଡା ଅନୁଭୂତ ହେଉଥିବାବେଳେ ରାତିରେ ବିଭିନ୍ନ ସ୍ଥାନରେ କୁହୁଡ଼ି ମଧ୍ୟ ଦେଖାଯାଉଛି। ସୋମବାର କଳାହାଣ୍ଡି, କନ୍ଧମାଳ ଓ ଅନୁଗୋଳ ଜିଲାରେ କୁହୁଡ଼ି ଅଧିକ ରହିବ। ଘନକୁହୁଡ଼ି ନେଇ ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଗଜପତି, ଗଞ୍ଜାମ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ା ଆଦି ୮ଜିଲାରେ ବର୍ଷା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନ ଏବଂ ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ୧୪ ଜିଲାରେ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି।