Categories: ଖେଳ

୪ମାସରେ ୨୬ କିଲୋ ହ୍ରାସ କରି ଫଟୋ ଶେୟାର କଲେ ଟେନିସ୍‌ ଷ୍ଟାର

ନୂଆଦିଲ୍ଲୀ,୧୦।୨: ମା’ ହେବା ପରେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ପ୍ରଶଂସକଙ୍କ ସମ୍ମୁଖରେ ନିଜର ଆଗାମୀ ଲକ୍ଷ୍ୟକୁ ସ୍ପଷ୍ଟ କରିଛନ୍ତି। ଖୁବ୍‌ଶୀଘ୍ର ଟେନିସ୍‌ର କୋର୍ଟକୁ ଫେରିବେ ବୋଲି ପ୍ରଶଂସକଙ୍କୁ ସେ ଏକ ଆଭାସ୍‌ ଦେଇଛନ୍ତି। ଆଉ ଏଥିପାଇଁ ୪ମାସ ପୂର୍ବରୁ ସାନିଆ ନିଜର ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସାନିଆ ୪ମାସ ଭିତରେ ୨୬କିଲୋ ଓଜନ ହ୍ରାସ କରିଛନ୍ତି। ସୂଚନା ମୁତାବକ ମା’ ହେବା ପରେ ତାଙ୍କ ଓଜନ ୮୯କିଲୋ ବୃଦ୍ଧି ପାଇଥିଲା। ମା’ ହେବା ଓ ଓଜନ ବଢ଼ିବା ଯୋଗୁ ସେ ଟେନିସ୍‌ରୁ ଦୂରେଇ ଯାଇଥିଲେ। ତେବେ ନିଜ ଟ୍ରାକ୍‌କୁ ପୁଣି ଫେରିବା ଏବଂ ଫିଟ୍‌ ରହିବା ପାଇଁ ସେ ବହୁ ପରିଶ୍ରମ କରି ୮୯ଓଜନରୁ ୬୩କୁ ହ୍ରାସ ହୋଇଛନ୍ତି। ସୋମବାର ସାନିଆ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରମରେ ୨ଟି ଫଟୋକୁ ଶେୟାର କରିଛନ୍ତି। ପ୍ରଥମ ଫଟୋଟି ତାଙ୍କର ପୁରୁଣା ଅର୍ଥାତ୍‌ ମା’ ହେବା ସମୟର ଏବଂ ଅନ୍ୟଟି ବର୍ତ୍ତମାନ ସମୟର। ଯେଉଁଥିରେ ସେ ବେଶ୍‌ ଫିଟ୍‌ ନଜର ଆସିଛନ୍ତି। ଏହି ଫଟୋ ଜରିଆରେ ସେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛନ୍ତି। ଫଟୋକୁ ଶେୟାର କରିବା ସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି,‘ ୮୯ କିଲୋ ବନାମ୍‌ ୬୩’। ନିଜ ଲକ୍ଷ୍ୟକୁ ପାଇବା ପାଇଁ ବହୁ ସମୟ ଲାଗିଗଲା। ହେଲେ ଯଦି ମୁଁ କରିପାରିଲି ତେବେ ସମସ୍ତେ କରିପାରିବେ ବୋଲି ସାନିଆ କହିଛନ୍ତି।

Share