୪ମାସ ବିତିଲା, ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେଲାନି

ଦେଓଗାଁ, ୨୮ା୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ସିଲେଟକାନୀ ଗାଁ ନିକଟ ସୋନଗଡ ନଦୀପଠାରୁ ୧୧ବର୍ଷର ବାଳକ ବାବୁଲାଲ ବଗର୍ତ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ୪ମାସ ବିତିଯାଇଛି। ହେଲେ ଏ ଯାଏ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇ ପାରିନାହିଁ। ଏହାକୁ ନେଇ ଗାଁରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା ବୁଧବାର ସନ୍ଧ୍ୟାରେ ଗାଁରେ ଏ ନେଇ ଏକ ବୈଠକ ପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଥିଲା। ଗୁରୁବାର ଗ୍ରାମବାସୀ ଦେଓଗଁା ଥାନା ଘେରାଉ କରିଥିଲେ। ଥାନାଧିକାରୀ ରଞ୍ଜନ କୁମାର ବରିହା ମୃତ ବାଳକଙ୍କ ପରିବାରବର୍ଗ, ଗାଁର କେତେକ ବ୍ୟକ୍ତି ଓ ସନ୍ଦେହ କରାଯାଉଥିବା କେତେକଙ୍କୁ ପୃଥକଭାବେ ପଚରାଉଚୁରା ପରେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି କହିଛନ୍ତି ା ବାଳକ ନିଖୋଜ ହେବାର ୧୪ ଦିନ ପରେ ବୁଲାକୁକୁର କଟାଗୋଡକୁ ଟାଣି ଆଣିବା ଦ୍ୱାରା ଫେବୃୟାରୀ ୫ ତାରିଖରେ ନଦୀପଠାରୁ ଏକ ବାଳକର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଶରୀରରେ କ୍ଷତ ନ ଥିବା ଓ ହାଡ ଭାଙ୍ଗି ନ ଥିବା ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ତେବେ ଦେଶରେ କରୋନା ମହାମାରୀ ଆରମ୍ଭ ହେବାରୁ ପୋଲିସ ତଦନ୍ତରେ ବାଧା ଉପୁଜିଥିଲା।  ଗ୍ରାମବାସୀଙ୍କ ଦାବି ପରେ ପୋଲିସ ପୁଣିଥରେ ତନାଘନା ଆରମ୍ଭ କରିଛି। ବଳି ଉଦ୍ଦେଶ୍ୟରେ ବାଳକଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ଏ ନେଇ ଥାନାଧିକାରୀ ବରିହାଙ୍କୁ ପଚାରିବାରୁ ପୁଣି ତଦନ୍ତ ଆରମ୍ଭ କରିଛୁ , ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି କହିଥିଲେ।