୪ରୁ ଖୋଲିବ ହାଇକୋର୍ଟ: ଶୁଣାଣି କରିବେ ୫ ବିଚାରପତି

କଟକ ଅଫିସ, ୩।୫: ଆସନ୍ତା ୪ ତାରିଖ ଅର୍ଥାତ୍‌ ସୋମବାରଠାରୁ ଓଡ଼ିଶା ହାଇକୋର୍ଟ ପୂର୍ବଭଳି କାର୍ଯ୍ୟ କରିବ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ମାମଲାର ବିଚାର ହେବ। ୫ ଜଣ ବିଚାରପତି ମାମଲାଗୁଡିକର ଶୁଣାଣି କରିବେ। ଜଣକିଆ ଖଣ୍ଡପୀଠରେ ସମସ୍ତ ଶୁଣାଣି ହେବ। ତେବେ ସମସ୍ତ ଶୁଣାଣି ଭିଡିଓ କନ୍‌ଫରେନ୍‌ନ୍ସିଂ ଜରିଆରେ କରାଯିବ। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ପୁରୁଣା କୋଠାର ୧ନମ୍ବର କୋର୍ଟରେ, ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ହାଇକୋର୍ଟ ବାର ଆସୋସିଏଶନର କନ୍‌ଭେନ୍‌ସନ ହଲରେ, ଜଷ୍ଟିସ ପ୍ରମଥ ପଟ୍ଟନାୟକ ପୁରୁଣା କୋଠାର ୨ନମ୍ବର କୋର୍ଟରେ, ଜଷ୍ଟିସ କୃଷ୍ଣରାମ ମହାପାତ୍ର ନୂଆକୋଠାର ୨୪ ନମ୍ବର କୋର୍ଟରେ, ଜଷ୍ଟିସ୍‌ ଅକ୍ଷୟ କୁମାର ମିଶ୍ର ନୂଆକୋଠାର ୨୫ନମ୍ବର କୋର୍ଟରେ ମାମଲାର ଶୁଣାଣି କରିବେ। ତେବେ ନୂତନ ଜାମିନ ଆପ୍ଲିକେସନର ମେନସନ ମେମୋ ଫାଇଲ ନ କରିବାକୁ ହାଇକୋର୍ଟ ପକ୍ଷରୁ ଆଇନଜୀବୀମାନଙ୍କୁ ନିବେଦନ କରାଯାଇଛି। ବୈଷୟିକ ତ୍ରୁଟି ପାଇଁ ସ୍କାନ କପି ବା ମେମୋର ଫଟୋ କପି ମେଲ୍‌ରେ ଆଟାଚ ନ କରିବା ପାଇଁ କୁହାଯାଇଛି। କେବଳ ଜରୁରୀ ମାମଲାର ନମ୍ବରକୁ ମେଲ୍‌ରେ ଆଟାଚ କରାଯିବ। ଆଇନଜୀବୀ କୌଣସି କାରଣରୁ ଅନୁପସ୍ଥିତ ରହିଲେ ସେମାନଙ୍କ ବିରୋଧରେ କୌଣସି ଅସୁବିଧାର ସମୁଖୀନ ହେବା ଭଳି ଅର୍ଡର ଦିଆଯିବ ନାହିଁ। ତେବେ ପ୍ରତିଧ୍ୱନିକୁ ଏଡାଇବା ପାଇଁ ଭିଡିଓ କନଫରେନ୍ସିଂରେ ଶୁଣାଣି ବେଳେ ଜଣେ ମାତ୍ର ଯୁକ୍ତି ଉପସ୍ଥାପନ କରିପାରିବେ। ସେହିଭଳି ଭିଡିଓ କନଫରେନ୍ସିଂରେ ବିଚାରପତି ଓ ଆଇନଜୀବୀଙ୍କ ମଧ୍ୟରେ ବାର୍ତ୍ତାଳପ ବେଳେ ନୀରବତା ଅବଲମ୍ବନ କରିବାକୁ ହାଇକୋର୍ଟ ନିବେଦନ କରିଛନ୍ତି। କୋର୍ଟ ରୁମ୍‌ରେ ସାମାଜିକ ଦୂରତା ରକ୍ଷା କରିବା ଏବଂ କରିଡରକୁ ଗହଳିମୁକ୍ତ କରିବାକୁ ହାଇକୋର୍ଟର ଡେପୁଟି ରେଜିଷ୍ଟ୍ରାର ଜୁଡିସିଆଲ ଏସ.କେ.ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

Share