୪୦ବର୍ଷ ପରେ ଘରକୁ ଫେରିଲେ ନିଖୋଜ ବ୍ୟକ୍ତି

ଆସିକା,୨୮ା୮(ଡି.ଏନ୍‌.ଏ.)- ଆସିକା ଥାନା ଅନ୍ତର୍ଗତ ଦେବଭୂମି ଗ୍ରାମର ଜଣେ ବ୍ୟକ୍ତି ୪୦ ବର୍ଷ ହେଲା ନିଖୋଜ ଥିବା ବେଳେ ମଙ୍ଗଳବାର ଘରକୁ ଫେରିଛନ୍ତି। ସେ ହେଲେ କାଶୀନାଥ ନାୟକ ଓରଫ ବଙ୍ଗାଳି (୬୦)। ବଙ୍ଗାଳିଙ୍କୁ ଯେତବେଳେ ୨୦ ବର୍ଷ ହୋଇଥିଲା ସେତେବେଳେ ସେ କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳି ନ ଥିଲା। ରାଜସ୍ଥାନର ବିକାନିରସ୍ଥିତ ଏକ ବୃଦ୍ଧାଶ୍ରମର ପରିଚାଳକ ଜ୍ଞାନ ସିଂ ମଙ୍ଗଳବାର ବଙ୍ଗାଳିଙ୍କୁ ସାଙ୍ଗ ନେଇ ଆସିକାରେ ପହଞ୍ଚିଥିଲେ। ଆସିକା ଥାନାରେ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ବଙ୍ଗାଳିଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭାଇ ପଙ୍କଜ ଓ ଭଉଣୀ ଉର୍ମିଳା, ଭିଣୋଇ ରାଜନଙ୍କ ସମେତ ପଡୋଶୀ ଧୋବା ନାୟକ, ବୃନ୍ଦାବନ ନାୟକ, ଗୌରାଙ୍ଗ ନାୟକ, ସନିଆ ନାୟକ ପ୍ରମୁଖ ବଙ୍ଗାଳିଙ୍କୁ ନେବାକୁ ଆସିଥିଲେ। ବୃଦ୍ଧାଶ୍ରମର ମ୍ୟାନେଜର ସିଂ କହିଛନ୍ତି, ଗତ ୬-୭ବର୍ଷ ପୂର୍ବେ ରାଜସ୍ଥାନର ଭରତପୁର ସହରର ରାସ୍ତାକଡରୁ ବଙ୍ଗାଳିଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ବୃଦ୍ଧାଶ୍ରମରେ ରଖି ଚିକିତ୍ସା ଓ ସେବା ଶୁଶ୍ରୂଷା କରାଯାଇଥିଲା। ବଙ୍ଗାଳି ସ୍ବାଭାବିକ ଅବସ୍ଥାକୁ ଫେରି ଆସିବାରୁ ଗତ ୧୮ ତାରିଖରେ ମ୍ୟାନେଜର ସିଂ ତାଙ୍କ ପରିଚୟ ଜାଣିବାକୁ ଚାହିଁଥିଲେ। ଆସିକା ନିକଟ ଦେବଭୂମିରେ ନିଜ ଘର ବୋଲି ବଙ୍ଗାଳି କହିଥିଲେ। ପରେ ବୃଦ୍ଧାଶ୍ରମ ପକ୍ଷରୁ ଆସିକା ଥାନା ପୋଲିସ ସହ ଯୋଗାଯୋଗ କରାଯିବାରୁ ପରିଚୟ ସ୍ପଷ୍ଟ ହେବା ପରେ ବୃଦ୍ଧାଶ୍ରମ ପରିଚାଳକ ବଙ୍ଗାଳିଙ୍କୁ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଅତ୍ୟନ୍ତ ଗରିବ ପରିବାରର ବଙ୍ଗାଳିଙ୍କ ଭରଣପୋଷଣ ନିମନ୍ତେ ସହୟତା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।