Categories: ଜାତୀୟ

୪୦୦ ଜିଲାରେ ଆୟୋଜିତ ହେବ ଋଣମେଳା:୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍‌ପିଏ ଘୋଷିତ ହେବନି ଏମ୍‌ଏସ୍‌ଏମ୍‌ଇ ଋଣ

ନୂଆଦିଲ୍ଲୀ,୨୦-୯: ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂରକରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ବ୍ୟାଙ୍କଗୁଡ଼ିକ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏମ୍‌ଏସ୍‌ଏମ୍‌ଇଙ୍କ ଋଣକୁ ଅନାଦାୟ ଋଣ ବା ଏନ୍‌ପିଏ ଘୋଷଣା କରିବେ ନାହିଁ। ଏ ନେଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୀତାରାମନ୍‌ ଏଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏଠାରେ ବ୍ୟାଙ୍କ ମୁଖ୍ୟମାନଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ଋଣ ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଦେଶର ୪୦୦ ଜିଲାରେ ଋଣ ମେଳା ଆୟୋଜନ କରାଯିବ। ଏମ୍‌ଏସ୍‌ଏମ୍‌ଇ ଋଣକୁ ଏନ୍‌ପିଏ ଘୋଷଣା କରା ନ ଗଲେ ସେମାନଙ୍କୁ ସହାୟତା ମିଳିବ। ସେ କହିଛନ୍ତି ଯେ, କେତେକ ଅଣବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ଚିହ୍ନଟ କରାଯାଇଛି ଯେଉଁମାନଙ୍କୁ ଋଣ ଉପଲବ୍‌ଧ କରାଯାଇପାରିବ। ଫଳରେ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ନଗଦ ଉପଲବ୍ଧ ହୋଇପାରିବ। ବ୍ୟାଙ୍କଗୁଡ଼ିକ ଆସନ୍ତା ୨୯ରୁ ପ୍ରଥମେ ୨୦୦ ଜିଲାରେ ଏନ୍‌ବିଏଫ୍‌ସି ଓ ଖୁଚୁରା ଋଣଗ୍ରହୀତାଙ୍କ ସହ ବୈଠକ କରିବେ। ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୨୦୦ ଜିଲାରେ ଏଭଳି ବୈଠକ ଆୟୋଜନ କରାଯିବ। ଏହାଦ୍ୱାରା ପାର୍ବଣ ଋତୁ ସମୟରେ ଅଧିକରୁ ଅଧିକ ଋଣ ପ୍ରଦାନ କରିବା ନିଶ୍ଚିତ ହୋଇପାରିବ ବୋଲି ମନେ କରାଯାଉଥିବା ସୀତାରାମନ୍‌ କହିଛନ୍ତି।

Share