୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲକ୍‌ଡାଉନ ଯୋଗୁ ଲୋକମାନେ ଘରୁ ପଦାକୁ ବାହାରୁ ନାହାନ୍ତି। ଏଥିଯୋଗୁ ଗ୍ରୀଷ୍ମ କଷ୍ଟରୁ ଆଶ୍ୱସ୍ତି ମିଳିଛି। ତେବେ କୃଷି ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନଙ୍କୁ ଖରା ଦାଉ ସାଧିଛି। ସୋମବାର ରାଜ୍ୟର ୫ ସହରରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୪୦.୮, ଟିଟିଲାଗଡ ୪୦.୫, ମାଲକାନଗିରି ୪୦.୨ ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଏଥିସହିତ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୩୯.୮ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ୩୯.୮, ସୋନପୁର ୩୯.୮, ସମ୍ବଲପୁର ୩୯.୪, ଅନୁଗୋଳ ୩୯.୧, ନୟାଗଡ ୩୯ ଏବଂ ସୁନ୍ଦରଗଡରେ ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିିଶାର ଅଧିକାଂଶ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡତୋଫାନ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋୱାର୍ନିଂ ଜାରି କରାଯାଇଛି। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡବର୍ଷା ହେବା ସମ୍ଭାବନା ରହିଛି। ତେବେ ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ। ଉପକୂଳ ଓଡିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

Share