Advertisement

୪୦ ଦିନିଆ ଶୁଣାଣି ସୁପ୍ରିମକୋର୍ଟ ଇତିହାସରେ ଦ୍ୱିତୀୟ ଦୀର୍ଘତମ

ନୂଆଦିଲ୍ଲୀ,୧୦ା୧୧(ପି.ଟି.): ଦୀର୍ଘ ଦଶନ୍ଧିର ମନ୍ଦିର-ମସ୍‌ଜିଦ ଜମି ବିବାଦ ମାମଲା ଉଭୟ ରାଜନୈତିକ ଓ ଧର୍ମୀୟ ଦୃଷ୍ଟିରୁ ସମ୍ବେଦନଶୀଳ ହୋଇଥିଲାବେଳେ ସୁପ୍ରିମକୋର୍ଟରେ କ୍ରମାଗତ ୪୦ ଦିନ ଧରି ଏହାର ଶୁଣାଣି ହୋଇଥିଲା। ସର୍ବୋଚ୍ଚ ଅଦାଲତ ଇତିହାସରେ ଏହା ଦ୍ୱିତୀୟ ଦୀର୍ଘତମ ଶୁଣାଣି। ୨.୭୭ ଏକର ବିବାଦୀୟ ଜମିକୁ ନେଇ ସୁପ୍ରିମକୋର୍ଟରେ ଅଗଷ୍ଟ ୬ରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଦୈନନ୍ଦିନ ଶୁଣାଣି ହୋଇଥିଲା, ଯାହାର ରାୟ ଶନିବାର ପ୍ରକାଶ ପାଇଛି। ଏହା ପୂର୍ବରୁ ୧୯୭୩ର କେଶବାନନ୍ଦ ଭାରତୀ ମାମଲାରେ ସର୍ବାଧିକ ୬୮ ଦିନ ଶୁଣାଣି ହୋଇଥିଲା। ତୃତୀୟ ଦୀର୍ଘତମ ଶୁଣାଣି ଥିଲା ଆଧାର ଯୋଜନାର ବୈଧତାକୁ ନେଇ। ଏହି ମାମଲାରେ ୩୮ ଦିନ ଶୁଣାଣି ହୋଇଥିଲା। ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୧୮ରେ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା ଓ ପରେ ସମୟସୀମାକୁ ୧୭କୁ ହ୍ରାସ କରାଯାଇଥିଲା। ତେବେ ୧୬ ତାରିଖ ଶୁଣାଣି ପରେ ଯଥେଷ୍ଟ ହୋଇଗଲା ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ କହିବା ସହ ଏହାର ପରିସମାପ୍ତି ଘଟାଇ ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ୍‌ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଥିବାରୁ ଏହା ପୂର୍ବରୁ ରାୟ ପ୍ରକାଶ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share