Categories: ଜାତୀୟ

୪୦% ବଢ଼ିଛି ଇଣ୍ଟରନେଟ୍‌ ବ୍ୟବହାର

ବେଙ୍ଗାଲୁରୁ, ୧୦।୫: ଭାରତରେ ଗତ ମାର୍ଚ୍ଚରେ ଇଣ୍ଟରନେଟ୍‌ ବ୍ୟବହାର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏହି ସମୟରେ ଦେଶର ସମସ୍ତ ପ୍ରମୁଖ ସହରରେ ବିଭିନ୍ନ ପ୍ରକାର ଇଣ୍ଟର୍‌ନେଟ୍‌ ଡାଉନ୍‌ଲୋଡ୍‌, ଅପ୍‌ଲୋଡ୍‌ କରାଯାଇଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ୟୁଜରମାନେ ଏହି ମାସରେ ୬୬% ଅଧିକ ଡାଉନ୍‌ଲୋଡ୍‌ କରିଥିବା ବେଳେ ୩୭% ଅଧିକ ଅପ୍‌ଲୋଡ୍‌ କରିଛନ୍ତି। ଭାରତର ଅନ୍ୟତମ ବୃହତ୍‌ ଓୟାର ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡର ‘ଏସିଟି ଫାଇବରନେଟ୍‌’ ପକ୍ଷରୁ ଏଭଳି ତଥ୍ୟ ପ୍ରଦାନ କରାଯାଇଛି। ୨୦୨୦ ଫେବୃୟାରୀରୁ ଏପ୍ରିଲ ମଧ୍ୟରେ ୧୯ ସହରର ଡାଟା ସଂଗ୍ରହ କରାଯାଇ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ମାର୍ଚ୍ଚ ମାସର ନିର୍ଦ୍ଦିଷ୍ଟ ଗୋଟିଏ ଦିନରେ ୯୮.୭% ୟୁଜର୍ସ ଏକକାଳୀନ ଅନ୍‌ଲାଇନ୍‌ରେ ଥିଲେ।
ଗତ ୨ ମାସ ମଧ୍ୟରେ ବିଭିନ୍ନ ସହରବାସୀ ସର୍ବାଧିକ ଇଣ୍ଟରନେଟ୍‌ ଡାଟା କଞ୍ଜମ୍ପ୍‌ସନ କରିଥିବା ଜଣାପଡ଼ିଛି। କରୋନାର ଆଗମନ ସହ ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଘରେ ରହି ଅଫିସ୍‌ କାମ କରିବା, ଅନ୍‌ଲାଇନ୍‌ ଗେମ୍‌ ଖେଳିବା, ଅନ୍‌ଲାଇନ୍‌ କ୍ଲାସ୍‌ ନେବା, ଭିଡିଓ କନ୍‌ଫରେନ୍ସିଂ କରିବା ଆଦି ଯୋଗୁ ଇଣ୍ଟର୍‌ନେଟ୍‌ ବ୍ୟବହାର ଅହେତୁକ ଭାବେ ବଢ଼ିଥିବା ଆଟ୍ରିଆ କନ୍‌ଭର୍ଜେନ୍ସ ଟେକ୍ନୋଲୋଜି ଲିମିଟେଡ୍‌ର ସିଇଓ ବାଲା ମାଲ୍ଲାଡି ପ୍ରକାଶ କରିଛନ୍ତି।
ଇଣ୍ଟରନେଟ୍‌ ଆଣ୍ଡ ମୋବାଇଲ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଆଇଏଏମ୍‌ଏଆଇ)ର ରିପୋର୍ଟ ଅନୁଯାୟୀ, ଭାରତରେ ଏବେ ୫୦୪ ନିୟୁତ ଆକ୍ଟିଭ୍‌ ଇଣ୍ଟରନେଟ୍‌ ୟୁଜର୍ସ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୪% ହେଉଛନ୍ତି ୫ରୁ ୧୧ ବର୍ଷର ପିଲା। ଇଣ୍ଡିଆନ୍‌ ରିଡରଶିପ୍‌ ସର୍ଭେ (ଆଇଆର୍‌ସି) ମୁତାବକ ଭାରତରେ ଥିବା ୭୦% ଆକ୍ଟିଭ୍‌ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ହେଉଛନ୍ତି ଡେଲି ୟୁଜର୍ସ। ଗ୍ରାମାଞ୍ଚଳ ଅପେକ୍ଷା ଭାରତର ସହରାଞ୍ଚଳରେ ଲୋକମାନେ ସମୟ ଅତିବାହିତ କରିବା ଲାଗି ଇଣ୍ଟର୍‌ନେଟ୍‌ ଉପରେ ଅଧିକ ନିର୍ଭର କରିଥାନ୍ତି। ଏବେ ଏହାର ମାତ୍ରା କ୍ରମଶଃ ବଢ଼ି ବଢ଼ି ଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି।

Share