୪୦ ଲକ୍ଷ ତଣ୍ଡ ଗଣିଲେଣି ଖିଲାପକାରୀ

କଟକ ଅଫିସ,୧୩ା୬: ପର୍ଯ୍ୟାୟକ୍ରମେ ଚାଲିଛି ଲକ୍‌ଡାଉନ୍‌। ବିଭିନ୍ନ କଟକଣା ଭିତରେ ସାମାଜିକ କାର୍ଯ୍ୟକଳାପ ଜାରି ରହିଛି। କିନ୍ତୁ ଏସବୁ କଟକଣା ସହରବାସୀଙ୍କୁ କାଟୁ କରୁନାହିଁ। ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ନ ରଖିବା ହେତୁ ପୋଲିସ ଇତି ମଧ୍ୟରେ ପ୍ରାୟ ୪୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛି। ଏହାଛଡ଼ା ଲକ୍‌ଡାଉନ୍‌ ନିୟମ ନ ମାନିବା କାରଣରୁ ଥାନାରେ ପଞ୍ଜୀକୃତ ହୋଇଛି ୨୯୬ଟି ମାମଲା।
ଲକ୍‌ଡାଉନ୍‌ ପ୍ରଥମେ ଗତ ମାର୍ଚ୍ଚ ୨୨ରୁ ଲାଗୁହୋଇ ବର୍ତ୍ତମାନ ଏହାର ୫ମ ପର୍ଯ୍ୟାୟ ଚାଲିଛି। ପ୍ରଥମ ୩ଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଶ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା। ପ୍ରତି ଛକରେ ପୋଲିସର ଚେକ୍‌ ପୋଷ୍ଟ। ବିନା କାରଣରେ ବାହାରେ ବୁଲୁଥିବା ଲୋକଙ୍କ ଉପରେ ଜରିମାନା ଲଦି ଦିଆଯାଉଥିଲା। ଗତ ଏପ୍ରିଲ ୧୦ରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଯେଉଁମାନେ ମାସ୍କ ପିନ୍ଧୁ ନ ଥିଲେ, ସେମାନେ ତଣ୍ଡ ଗଣୁଥିଲେ। ଏପ୍ରିଲ ୧୫ରୁ ଏ ପର୍ଯ୍ୟନ୍ତ ମାସ୍କ ନ ପିନ୍ଧି ୯,୩୭୧ ଜଣ ତଣ୍ଡ ଗଣିଛନ୍ତି। ଏମାନଙ୍କଠାରୁ ଆଦାୟ ହୋଇଥିବା ଜରିମାନା ରାଶି ହେଉଛି ୧୮ ଲକ୍ଷ ୬୯ ହଜାର ୨୦୦ ଟଙ୍କା। ସେହିପରି ସାମାଜିକ ଦୂରତ୍ୱ ବଜାୟ ନ ରଖିବା ଅଭିଯୋଗରେ ୬,୧୮୦ ଜଣଙ୍କଠାରୁ ୧୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ଜରିମାନା ଆଦାୟ ହୋଇ ସାରିଲାଣି। ଲକ୍‌ଡାଉନ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ ବିଭିନ୍ନ ଥାନାରେ ୨୯୬ଟି ମାମଲା ଗଡୁଛି ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ଲୋକଙ୍କ ହିତରେ ପୋଲିସ ରହିଛି। କେବଳ ସଚେତନତା ଅଭାବ ଯୋଗୁ ଏତେମାତ୍ରାରେ ଅର୍ଥ ଆଦାୟ ହୋଇଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ ବଜାୟ ରଖିବା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଲୋକେ ଏଯାଏ ଅନୁଭବ କରିନାହାନ୍ତି ବୋଲି ସେ କହିଛନ୍ତି।

Share