Categories: ଖେଳ

୪୦ ଶତକ ଲଗାଇବାରେ କୋହଲି ପ୍ରଥମ ଭାରତୀୟ ଅଧିନାୟକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର କ୍ୟାରିୟରରେ ସଫଳତାର ଆଉ ଏକ ଫଦ୍ଦର୍ଦ୍ଦ ଯୋଡ଼ିଛନ୍ତି। ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି କ୍ୟାରିୟରର ୨୬ତମ ଶତକ ଲଗାଇଛନ୍ତି। ଏଥିସହିତ ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ସେ ୪୦ ଶତକ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ପ୍ରଥମ ଭାରତୀୟ। କୋହଲି ଭାରତୀୟ ଦଳର ନେତୃତ୍ୱ ନେଉଥିବାବେଳେ ଦିନିକିଆରେ ୨୧ ଓ ୧୯ ଟେଷ୍ଟ ଶତକ ଲଗାଇ ସାରିଛନ୍ତି। ଅଷ୍ଟ୍ରେଲିଆ କିମ୍ବଦନ୍ତୀ ରିକି ପଣ୍ଟିଂ କ୍ୟାପଟେନ ଭାବେ ୪୧ ଶତକ ଲଗାଇଥିଲେ, ଯାହାକି ଏବେ ମଧ୍ୟ ରେକର୍ଡ ହୋଇ ରହିଛି। କୋହଲି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ୩୩ ଶତକ ସହ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ (୨୦) ଓ ମାଇକେଲ କ୍ଲାର୍କ (୧୯) ରହିଛନ୍ତି। ଏହି ଅବସରରେ କୋହଲି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ୍‌ଙ୍କୁ ଟପି ଯାଇଛନ୍ତି। ଇଞ୍ଜାମାମ ୧୨୦ ଟେଷ୍ଟ (୨୦୦ ଇନିଂସ)ରେ ୨୫ତମ ଶତକ ଅର୍ଜନ କରିଥିଲେ। ଅନ୍ୟପକ୍ଷରେ କୋହଲି ୮୧ତମ ଟେଷ୍ଟ (୧୩୮ ଇନିଂସ)ରେ ୨୬ଶତକ ପୂରଣ କରିଛନ୍ତି।