Categories: ଜାତୀୟ

୪୦ ହଜାର ଜନତାଙ୍କ ହତ୍ୟାର କାରଣ ଅନୁଚ୍ଛେଦ ୩୭୦: ଶାହ

ନୂଆଦିଲ୍ଲୀ,୧୫।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଏପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୪୦ ହଜାର ଲୋକଙ୍କ ହତ୍ୟାର କାରଣ ହେଉଛି ଅନୁଚ୍ଛେଦ ୩୭୦। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ସେଠାରେ କେବଳ ୬ଟି ଥାନା ପରିସରକୁ ବାଦ୍‌ ଦେଲେ ଅନ୍ୟ କେଉଁଠି ଧାରା ୧୪୪ ଲାଗୁ କରାଯାଇ ନାହିଁ। ଲୋକ ବ୍ୟବସାୟ ବାଣିଜ୍ୟ ସୁରୁଖୁରରେ କରିବା ସହ ବିନା ଭୟରେ ନମାଜ ପାଠ ପାଇଁ ଯାଉଛନ୍ତି। ମୋବାଇଲ ସେବା କାର୍ଯ୍ୟକ୍ଷମ ହେବା ସହ ଲୋକେ ଭଏସ୍‌ କଲର ସୁବିଧା ମଧ୍ୟ ଉଠାଉ ପାରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କୁ ନଜର ବନ୍ଦୀ ରଖାଯିବା ଘଟଣାକୁ ନେଇ ଶାହ କହିଛନ୍ତି, ଯଦି କୌଣସି ଘଟଣା ତାଜା ଥାଏ ତେବେ ସେହି ସମୟରେ ଉସକାଇବା ଭଳି କାମ କରିବା ଆଦୌ ଠିକ୍‌ ନୁହେଁ। ତେଣୁ ୩୭୦ ଉଚ୍ଛେଦ ସମୟରେ ପ୍ରାୟ ୪ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ସେଥିମଧ୍ୟରୁ ହଜାରେରୁ କମ୍‌ ଲୋକ ଏବେ ଜେଲ୍‌ରେ ଅଛନ୍ତି। ତେବେ ଫାରୁକ ଅବଦୁଲ୍ଲା ଓ ମେହେବୁବା ମୁଫତି ନଜର ବନ୍ଦୀ ନାହାଁନ୍ତି। କାରଣ ସେମାନଙ୍କ ଉପରେ କୌଣସି କଟକଣା ନ ଥିଲା। କିନ୍ତୁ ସେମାନେ ପବ୍ଲିକ୍‌ ସେପ୍ଟି ଆକ୍ଟ ଆଧାରରେ ହାଉସ୍‌ ଆରେଷ୍ଟ ହୋଇ ରହିଛନ୍ତି। କଂଗ୍ରେସ ଏବେ ଏମାନଙ୍କ ହାଉସ୍‌ ଆରେଷ୍ଟକୁ ନେଇ ବିରୋଧ କରୁଛି ଯେତେବେଳେ କି ସେ ନିଜେ ଶେଖ୍‌ ଅବଦୁଲ୍ଲାଙ୍କୁ ୧୧ ବର୍ଷ ଜେଲରେ ରଖିଥିଲା। ତେଣୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଜମ୍ମୁ-କଶ୍ମୀର ପାଇଁ ଏକ ବରଦାନ। ଯେଉଁଥିପାଇଁ ଆଜି ସାରା ବିଶ୍ୱ ମୋଦି ସରକାରଙ୍କ ପ୍ରଶଂସା କରୁଛନ୍ତି ବୋଲି ଶାହ କହିଛନ୍ତି।

Share