Categories: ଫୁରସତ

୪୦ ହଜାର ମାନବ କଙ୍କାଳରେ ନିର୍ମିତ ଚର୍ଚ୍ଚ

ଯେମିତି ହିନ୍ଦୁଙ୍କର ମନ୍ଦିର, ମୁସ୍‌ଲିମ୍‌ଙ୍କର ମସ୍‌ଜିଦ୍‌, ସେମିତି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଚର୍ଚ୍ଚରେ ନିଜ ଇଷ୍ଟଙ୍କ ଆରାଧନା କରିଥାନ୍ତି। ବିଶ୍ୱରେ ଥିବା ଅଧିକାଂଶ ମନ୍ଦିର, ମସ୍‌ଜିଦ୍‌ ଏବଂ ଚର୍ଚ୍ଚ ପଥରରେ ନିର୍ମିତ। କିନ୍ତୁ କେବେ ମାନବ କଙ୍କାଳରେ ତିଆରି ଚର୍ଚ୍ଚ କଥା ଶୁଣିଛନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ। ଚେକ୍‌ ଗଣରାଜ୍ୟରେ ଅବସ୍ଥିତ ଏହି ଚର୍ଚ୍ଚ। ଏଠାରେ ପ୍ରାୟ ୪୦ ହଜାର ମାନବ କଙ୍କାଳକୁ କଳାମତ୍କ ରୂପରେ ସଜ୍ଜିତ କରାଯାଇଛି। ଏହା ପଛରେ ରହିଛି ଏକ କାହାଣୀ। କୁହାଯାଏ, ବହୁବର୍ଷ ପୂର୍ବେ ଏଠାରେ ଜଣେ ସନ୍ଥ ରହୁଥିଲେ। ଯେଉଁଠାରେ ପ୍ରଭୁ ଯିଶୁଙ୍କୁ ଶୂଳିରେ ଚଢ଼ାଯାଇଥିଲା, ସେ ସେଠାରୁ କିଛି ମାଟି ଆଣି ଏହି ଚର୍ଚ୍ଚ ତିଆରି କରିଥିଲେ। ସେତେବେଳେ ଲୋକଙ୍କର ବିଶ୍ୱାସ ଥିଲା ମୃତ୍ୟୁ ପରେ ଏଠାରେ ତାଙ୍କ ମୃତଦେହ ପୋତାଗଲେ, ଯିଶୁଙ୍କ ଆଶିଷ ଲାଭ ହେବ। ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦୀ ବେଳକୁ ପ୍ଲେଗ୍‌ ଏବଂ ଯୁଦ୍ଧରେ ଅନେକ ଲୋକଙ୍କର ମୃତ୍ୟୁ ହେଲା। ଏଠାରେ ସେମାନଙ୍କ ମୃତଦେହ କବର ଦେବାକୁ ସ୍ଥାନର ଅଭାବ ପଡ଼ିଲା। ତେଣୁ ୧୮୭୦ ମସିହା ବେଳକୁ ଏସମସ୍ତ କଙ୍କାଳକୁ ନେଇ ଏକ କଳାମତ୍କ ରୂପ ଦିଆଗଲା। ପରିବାର ଲୋକଙ୍କ ଇଚ୍ଛା ବି ପୂରଣ ହେଲା, ତା’ସାଙ୍ଗକୁ ଏହି ଚର୍ଚ୍ଚ ଦେଶ ବିଦେଶରେ ପ୍ରସିଦ୍ଧ ହେବାକୁ ଲାଗିଲା। ପ୍ରତିବର୍ଷ ଏହି ଚର୍ଚ୍ଚକୁ ଦେଖିବାକୁ ଲକ୍ଷ ଲକ୍ଷ ଆଗନ୍ତୁକ ଏଠାରେ ଭିଡ଼ ଜମାଇଥାନ୍ତି।

Share