Categories: ବାଣିଜ୍ୟ

୪୧୧ କୋଟି ଠକି ଚମ୍ପଟ: ସିବିଆଇରେ ମାମଲା

ନୂଆଦିଲ୍ଲୀ,୧୦।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ୪୧୧ କୋଟି ଋଣ ଠକେଇରେ ସମ୍ପୃକ୍ତ ରାମଦେବ ଇଣ୍ଟରନ୍ୟାଶନାଲ କମ୍ପାନୀର ୩ ପ୍ରମୋଟର ଦେଶ ଛାଡ଼ି ପଳାୟନ କରିଛନ୍ତି। ଏମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ନିକଟରେ ମାମଲା ରୁଜୁ କରାଯାଇଛି। ଏସ୍‌ବିଆଇ ନେତୃତ୍ୱରେ ୬ କନ୍‌ସୋର୍ଟିୟମ ବ୍ୟାଙ୍କରୁ ଉକ୍ତ କମ୍ପାନୀର ପ୍ରମୋଟର ୪୧୧ କୋଟି ଟଙ୍କା ନେଇଥିଲେ। ଏମାନଙ୍କର ପତ୍ତା ନ ମିଳିବାକୁ ଏସ୍‌ବିଆଇ ଶନିବାର ସିବିଆଇ ନିକଟରେ ଅଭିଯୋଗ କରିଛି। ପଶ୍ଚିମ ଏସିଆ ଏବଂ ୟୁରୋପ ଦେଶଗୁଡିକୁ ବାସ୍‌ମତି ଚାଉଳ ରପ୍ତାନି କରୁଥିବା ଏହି କମ୍ପାନୀର ନିର୍ଦ୍ଦେଶକ ନରେଶ କୁମାର, ସୁରେଶ କୁମାର ଏବଂ ସଙ୍ଗୀତାଙ୍କ ନାମ ଏହି ମାମଲାରେ ସମ୍ପୃକ୍ତ ରହିଛି। ଏସ୍‌ବିଆଇ ଅଭିଯୋଗ ଆଧାରରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସମ୍ପୃକ୍ତ କମ୍ପାନୀ ୧୭୩ କୋଟି କ୍ଷତି ସହିଥିବା ଜଣାପଡିଛି। ଏସ୍‌ବିଆଇ ବାଦ୍‌ କନସୋର୍ଟିୟମରେ କାନାରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇଡିବିଆଇ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ କର୍ପୋରେଶନ ବ୍ୟାଙ୍କ ରହିଛି। ଲକ୍‌ଡାଉନ ଜାରି ରହିଥିବାରୁ ଏମାନଙ୍କ ବିରୋଧରେ ସର୍ଚ୍ଚ ଅପରେଶନ ଜାରି କରାଯାଇପାରିନି। ଅଭିଯୁକ୍ତଙ୍କୁ ସମନ ଜାରି କରାଯାଇଥିବାରୁ ସେମାନେ ତଦନ୍ତ ପ୍ରକ୍ରିୟାରେ ସାମିଲ ନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିବିଆଇ ପକ୍ଷରୁ ସୂଚନା ରହିଛି। ସୂଚନାଯୋଗ୍ୟ ଜାନୁୟାରୀ ୨୭ରୁ ଉକ୍ତ କମ୍ପାନୀର ଆକାଉଣ୍ଟ ଏନ୍‌ପିଏ ହୋଇଛି।

Share