Categories: ଜାତୀୟ

୪୧ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ଗଠିତ ହୋଇଛି ୪୦ ମେଣ୍ଟ ସରକାର: ହାରାହାରି କାର୍ଯ୍ୟକାଳ ୨୬ ମାସ

ନୂଆଦିଲ୍ଲୀ,୩।୧୧: ଦେଶର ବିଭିନ୍ନ ରାଜ୍ୟରେ ଗତ ୪୧ ବର୍ଷ ମଧ୍ୟରେ ୧୯୭୭ଠାରୁ ୪୦ ମେଣ୍ଟ ସରକାର ଗଠନ ହୋଇଛି। ତେବେ ଏସବୁ ସରକାରଙ୍କ ହାରାହାରି କାର୍ଯ୍ୟକାଳ ୨୬ ମାସ ରହିଥିବା ନିର୍ବାଚନ କମିଶନଙ୍କ ରେକର୍ଡରୁ ଜଣାପଡ଼ିଛି। ୧୯୭୭ଠାରୁ ୨୦୧୮ ମଧ୍ୟରେ ବିଭିନ୍ନ ରାଜ୍ୟରେ ୧୩୮ ସରକାର ଗଠନ ହୋଇଛି। ସେଥିମଧ୍ୟରୁ ୪୦ଟି ମେଣ୍ଟ ସରକାର ରହିଛି। ସେହିପରି କେନ୍ଦ୍ରରେ ୧୯୮୯ପରଠାରୁ ଲଗାତାର ମେଣ୍ଟ ସରକାର ଗଠନ ହେବାରେ ଲାଗିଛି। ଭାରତରେ ଡ. ରାମନୋହର ଲୋହିଆଙ୍କୁ ମେଣ୍ଟ ସରକାର ଗଠନର ଜନକ ବୋଲି କୁହାଯାଇଥାଏ। ୧୯୬୨ ନିର୍ବାଚନ ପରେ ଲୋହିଆ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ କରିବା ଆରମ୍ଭ କରିଥିଲେ। ମେଣ୍ଟ ସରକାର ସ୍ଥଳ ବିଶେଷରେ ସ୍ଥାୟୀ ନ ଥିଲେ ମଧ୍ୟ ଏସବୁ ସରକାର ସମୟରେ ବହୁ ଲୋକାଭିମୁଖୀ ଯୋଜନାର ପ୍ରଣୟନ ହୋଇଥିବା ନଜିର ରହିଛି। କେନ୍ଦ୍ରରେ ପ୍ରଥମେ ୧୯୭୭ରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ଦଳ ପକ୍ଷରୁ ମେଣ୍ଟ ସରକାର ଗଠନ ହୋଇଥିଲା। ଏଥିରେ ୧୩ଟି ରାଜନୈତିକ ଦଳ ସାମିଲ୍‌ ଥିଲେ। ଅପରପକ୍ଷରେ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗରେ ୧୯୬୭ ମାର୍ଚ୍ଚ ୧୫ରେ ପ୍ରଥମ ମେଣ୍ଟ ସରକାର ଗଠନ ହୋଇଥିଲା। ତେବେ ଆନ୍ଧ୍ରପ୍ରଦେଶରେ ୧୯୫୩ରେ ପ୍ରଥମ ମେଣ୍ଟ ସରକାର ଗଠନ ହୋଇଥିବା କେତେକ କୁହନ୍ତି। ସେହିପରି ୧୯୫୭ରେ ଓଡ଼ିଶାରେ ମଧ୍ୟ ମେଣ୍ଟ ସରକାର ଗଠନ ହୋଇଥିଲା। ତେବେ ଏହା ଧାର୍ଯ୍ୟ ସମୟ ପୂର୍ବରୁ ୧୯୬୧ରେ ଭଙ୍ଗ ହୋଇଥିଲା। ମେଣ୍ଟ ସରକାର ଗଠନରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ କେରଳ ଅଧିକ ସଫଳ ରହିଥିବା ନିର୍ବାଚନ କମିଶନଙ୍କ ରେକର୍ଡରୁ ଜଣାପଡ଼ିଛି। ପିଡ଼ିପି ଏବଂ ଭାଜପା ପରସ୍ପର ବିରୋଧୀ ରାଜନୈତିକ ଦଳ ପକ୍ଷରୁ ୨୦୧୫ରେ ଜମ୍ମୁ-କଶ୍ମୀରରେ ମେଣ୍ଟ ସରକାର ଗଠନ କରାଯାଇଥିଲା। ମାତ୍ର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦେଇ ଦୁଇ ଦଳ ମଧ୍ୟରେ ଫାଟ ହେବା ଦ୍ୱାରା ସରକାରର ପତନ ଘଟିଥିଲା।

Share