Categories: ଜାତୀୟ

୪୨୦ ହାଇକୋର୍ଟ ବିଚାରପତି ପଦ ଖାଲି

ନୂଆଦିଲ୍ଲୀ, ୧୬ା୧୦ : ଭାରତରେ ଥିବା ବିଭିନ୍ନ ହାଇକୋର୍ଟରେ ବିଚାରପତି ସଂଖ୍ୟା ବହୁ କମ ରହିଛି। ଫଳରେ ବିଚାର ପ୍ରକ୍ରିୟା ବିଳମ୍ବ ହେଉଛି। ଆଇନ ମନ୍ତ୍ରଣାଳୟ ପକ୍ଷରୁ ଅକ୍ଟୋବର ୧ରେ ଦର୍ଶାଯାଇଥିବା ତଥ୍ୟ ଅନୁଯାୟୀ ଦେଶର ୨୫ ହାଇକୋର୍ଟରେ ଆବଶ୍ୟକ ସଂଖ୍ୟକ ବିଚାରପତି ନାହାନ୍ତି। ଆବଶ୍ୟକଠାରୁ ୪୨୦ ବିଚାରପତି ପଦ ଖାଲିପଡ଼ିଛି। ହାଇକୋର୍ଟଗୁଡ଼ିକ ଲାଗି ମୋଟ ୧୦୭୯ ବିଚାରପତିଙ୍କ ଆବଶ୍ୟକତା ରହିଥିବାବେଳେ ଏବେ ମାତ୍ର ୬୫୯ ବିଚାରପତି କାର୍ଯ୍ୟ କରୁଛନ୍ତି। ଗତ ସେପ୍ଟେମ୍ବରରେ ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦ ଖାଲି ଥିଲା। ଏବେର ସ୍ଥିତି ସବୁଠାରୁ ଜଟିଳ ରହିଥିବା କୁହାଯାଇଛି। ବିଭିନ୍ନ ହାଇକୋର୍ଟରେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ବିଚାର ନ ହୋଇ ପଡ଼ିରହିଥିବାବେଳେ ବିଚାରପତି ପଦ ଖାଲିପଡ଼ିବା ପରିତାପର ବିଷୟ। ହାଇକୋର୍ଟ କଲେଜିୟମ ପକ୍ଷରୁ ବିଚାରପତିଙ୍କ ନାମ ଅନୁମୋଦନ କରାଯାଇ ଆଇନ ମନ୍ତ୍ରଣାଳୟକୁ ପଠାଯିବା କଥା। ଆଇନ ମନ୍ତ୍ରଣାଳୟ ଏହାର ତର୍ଜମା କରି ସୁପ୍ରିମକୋର୍ଟ କଲେଜିୟମଙ୍କୁ ରିପୋର୍ଟ ଦେଲେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। କୌଣସି ବିଚାରପତି ଅବସର ନେଲେ କିମ୍ବା ଇସ୍ତଫା ଦେଲେ ଖାଲିପଡ଼ୁଥିବା ପଦ ତୁରନ୍ତ ପୂରଣ କରିବା କଥା। ହେଲେ ଏଥିରେ ବିଳମ୍ବ ଯୋଗୁ ମାମଲାଗୁଡ଼ିକ ବିଚାର ନ ହୋଇ ଦୀର୍ଘଦିନ ହେବ ପଡ଼ିରହୁଛି। ସୁପ୍ରିମକୋର୍ଟରେ ଗତ ସେପ୍ଟେମ୍ବରରେ ନୂଆ ୪ ବିଚାରପତି ନିଯୁକ୍ତି ହେବା ପରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ହେଲେ ବିଭିନ୍ନ ହାଇକୋର୍ଟରେ ବିଚାରପତିଙ୍କ ଅଭାବ ଯୋଗୁ ସମସ୍ୟା ଭୋଗିବାକୁ ପଡ଼ୁଛି। ି

Share