ଚେନ୍ନାଇ,୧୧।୭: ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି ଯେ, ଦେଶରେ ଗୋତି ଶ୍ରମିକ ନାହାନ୍ତି। ତଥାପି ଏବେ ମଧ୍ୟ ଦେଶର କେତେକ ଅଞ୍ଚଳରେ ଗୋତି ଶ୍ରମିକ ରହିଛନ୍ତି। ସମ୍ପ୍ରତି ତାମିଲନାଡୁ କାଞ୍ଚିପୁରମ୍ ଏବଂ ବିଲ୍ଲୋର ଜିଲାରୁ ୪୨ ଜଣ ଗୋତି ଶ୍ରମିକଙ୍କୁ ମୁକ୍ତ କରାଯାଇଛି। ସେମାନେ ଏକ କାଠ କଟା କାରଖାନାରେ କାମ କରୁଥିଲେ। ଖବର ପାଇ କାଞ୍ଚିପୁରମ୍ ଏବଂ ବିଲ୍ଲୋରର ଉପଜିଲା ଅଧିକାରୀ ସେଠାରେ ପହଞ୍ଚିଥିଲେ। କାଞ୍ଚିପୁରମ୍ର ୨୮ ଏବଂ ବିଲ୍ଲୋରର ପୁରୁବାମେଦୁ ଗାଁର ୧୪ ଜଣ ଗୋତି ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। କାଞ୍ଚିପୁରମ୍ର ୮ଟି ପରିବାରର ୧୯ ଜଣ ଛୋଟ ପିଲା ଗୋତି ଶ୍ରମିକ ଭାବେ କାମ କରୁଥିବାବେଳେ ବିଲ୍ଲୋରର ପୁରୁବାମେଦୁ ଗାଁର ୫ଟି ପରିବାର ୬ ଜଣ ଛୋଟ ପିଲା ସେଠାରେ କାମ କରୁଥିଲେ। ଗୋତି ଶ୍ରମିକଙ୍କ ମଧ୍ୟରେ ୫ରୁ ୧୫ ବୟସ୍କ ଅଧିକ ପିଲା ଥିବା କୁହାଯାଉଛି। ସେମାନଙ୍କୁ ୯ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆଗୁଆ ଟଙ୍କା ଦିଆଯାଇଥିବା କୁହାଯାଉଛି। ସମସ୍ତ ଗୋତି ଶ୍ରମିକଙ୍କୁ ମୁକ୍ତ କରାଯିବା ସହିତ କାରଖାନା ମାଲିକଙ୍କୁ ପୋଲିସ ପଚରା ଉଚରା କରୁଛି।