Categories: ଜାତୀୟ

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ଚୋରି ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ହତ୍ୟା ମାମଲା ରହିଥିବାବେଳେ ୨ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୩ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ରହିଛି। ଜଣେ ଏମ୍‌ପିଙ୍କ ବିରୋଧରେ ବଳାତ୍କାର ମାମଲା ମଧ୍ୟ ରହିଛି। ଏହିସବୁ ଅପରାଧ ପଛରେ ଭାଜପା, କଂଗ୍ରେସ, ଏନ୍‌ସିପି, ଓ୍ବାଇଏସ୍‌ଆର୍‌ସିପି ଓ ତୃଣମୂଳ କଂଗ୍ରେସ ଭଳି ଆଗଧାଡ଼ିର ନେତାମାନେ ରହିଛନ୍ତି। ସତ୍ୟପାଠରେ ସେମାନେ ଏଭଳି ତଥ୍ୟ ମଧ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି।
ସେହିଭଳି ୧୬ ଜଣ(୨୬%) ସଦସ୍ୟଙ୍କ ବିରୋଧରେ ଅନ୍ୟାନ୍ୟ ଆପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ଦ୍ୱାରା କରାଯାଇଥିବା ବିଶ୍ଲେଷଣରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ନବନିର୍ବାଚିତ ଭାଜପାର ୧୮ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ,କଂଗ୍ରେସର ୯ ଏମ୍‌ପିଙ୍କ ମଧ୍ୟରୁ ୩ ଜଣ, ଏନ୍‌ସିପିର ନିର୍ବାଚିତ ୨ଜଣ, ଓ୍ବାଇଏସ୍‌ଆର୍‌ସିପିର ୪ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ, ବିଜେଡିର ଜଣେ, ଏଆଇଟିସିର ଜଣେ, ଡିଏମ୍‌କେର ଜଣେ, ଆର୍‌ପିଆଇର ଜଣେ, ଜେଡିୟୁର ଜଣେ ଏବଂ ଜଣେ ସ୍ବାଧୀନ ଏମ୍‌ପିଙ୍କ ବିରୋଧରେ ଏଭଳି ଆପରାଧିକ ମାମଲା ରହିଥିବା ପ୍ରକାଶ। ରାଜ୍ୟ ଅନୁଯାୟୀ ଦେଖିଲେ ମହାରାଷ୍ଟ୍ରରୁ ୪, ବିହାରରୁ ୨, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରୁ ଜଣେ ଲେଖାଏ ଏମ୍‌ପି ଆପରାଧିକ ମାମଲାରେ ସମ୍ପୃକ୍ତ। ନବନିର୍ବାଚିତ ୬୨ ଏମ୍‌ପିଙ୍କ ମଧ୍ୟରୁ ୫୨(୮୪%) କୋଟିପତି ବୋଲି ଜଣାପଡ଼ିଛି।

Share