୪୪ ଛାତ୍ରାବାସରୁ ଘରକୁ ଯିବେ ୬୮୫୯ ପିଲା

ଅନୁଗୋଳ ଅଫିସ୍‌, ୨୧।୩

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ଛାତ୍ରାବାସକୁ ଆସନ୍ତା ୨୫ ତାରିଖଠାରୁ ଜୁନ ୧୫ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ମାତାପିତା କିମ୍ବା ଅଭିଭାବକଙ୍କୁ ଡକାଇ ସେମାନଙ୍କ ସହ ପିଲାମାନଙ୍କୁ ପଠାଯିବ। ଏଥିସହ ଏକକାଳୀନ ୩ମାସର ପ୍ରି-ମାଟ୍ରିକ ସ୍କଲାରଶିପ୍‌ ପ୍ରଦାନ କରାଯିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ମାତାପିତା କିମ୍ବା ଅଭିଭାବକ ସେମାନଙ୍କ ପିଲାଙ୍କୁ ୨୫ ଓ ୨୬ ତାରିଖ ସୁଦ୍ଧା ସମ୍ପୃକ୍ତ ବିଦ୍ୟାଳୟରୁ ଘରକୁ ନେଇଆସିବେ। ଏଥିସହ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରାଯାଉଥିବା ପ୍ରି-ମାଟ୍ରିକ ସ୍କଲାରଶିପ୍‌ର ଆଗୁଆ ୩ ମାସର ଅର୍ଥ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ଗ୍ରହଣ କରିବେ। ତେବେ ଛାତ୍ରାବାସ ପରିସରରେ ପିଲା ଓ ସେମାନଙ୍କ ମାତାପିତା ତଥା ଅଭିଭାବକଙ୍କ ଭିଡ଼ ଯେପରି ନ ହୁଏ ତାହାର ସୁପରିଚାଳନା ପାଇଁ ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ କରାଯାଇଛି। ସେମାନେ ଏହି କାର୍ଯ୍ୟ ତଦାରଖ ପାଇଁ ପ୍ରତ୍ୟେକ ବିଦ୍ୟାଳୟ ନିମନ୍ତେ ଜଣେ ଲେଖାଏ ନୋଡାଲ ଅଫିସର ନିୟୋଜିତ କରିବେ। ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ପରିଚାଳନା କରିବାକୁ ଜିଲାପାଳ ମନୋଜ କୁମାର ମହାନ୍ତି ଜିଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୋଳ ଜିଲାର ୪୪ଟି ଛାତ୍ରାବାସର ୬ ହଜାର ୮୫୯ ଜଣ ପିଲାଙ୍କୁ ଛାତ୍ରାବାସ ଛାଡ଼ିବା ପୂର୍ବରୁ ସମୁଦାୟ ୧ କୋଟି ୬୧ ଲକ୍ଷ ୨୯ ହଜାର ୫ ଶହ ଟଙ୍କା ପ୍ରି-ମାଟ୍ରିକ୍‌ ସ୍କଲାରଶିପ୍‌ ଭାବେ ପ୍ରଦାନ କରାଯିବ। ଏହି ଅର୍ଥ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଆକାଉଣ୍ଟରେ ସିଧାସଳଖ ଭାବେ ପ୍ରଦାନ କରାଯିବ ବୋଲି ଜିଲାପାଳ ମହାନ୍ତି କହିଛନ୍ତି।

Share