ନୂଆଦିଲ୍ଲୀ,୨୪।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍ ୨୪ରେ ସୁପ୍ରିମ୍କୋର୍ଟଙ୍କ ରାୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପାଇଁ ପରିଷ୍କାର ହୋଇଥିଲା। ଏହାପରେ ଜୁନ୍ ୨୫ ମଧ୍ୟରାତ୍ରରୁ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ୍ ସାମ୍ବିଧାନିକ ଧାରା ୩୫୨ ଅନୁସାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ୧୯୭୫ ଜୁନ୍ ୧୨ରେ ଆହ୍ଲାବାଦ୍ ହାଇକୋର୍ଟ ବିଚାରପତି ଜଗମୋହନ ଲାଲ୍ ସିହ୍ନା ଏକ ମାମଲାର ବିଚାର କରି ରାୟବରେଲୀ ଲୋକ ସଭା ଆସନରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅବୈଧ ଘୋଷିତ କରିଥିଲେ। ରାୟ ପ୍ରକାଶର ୧୧ ଦିନ ପରେ ଜୁନ୍ ୨୩ରେ ଇନ୍ଦିରା ସୁପ୍ରିମ୍କୋର୍ଟରେ ଏହାକୁ ଚ୍ୟାଲେଞ୍ଜ୍ କରିଥିଲେ। ଏହାର ବିଚାର କରି ସୁପ୍ରିମ୍କୋର୍ଟ ବିଚାରପତି ବି.ଆର୍. କୃଷ୍ଣ ଆୟାର ପ୍ରଧାନମନ୍ତ୍ରୀ ପଦରେ ଇନ୍ଦିରାଙ୍କୁ ରହିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ହାଇକୋର୍ଟଙ୍କ ରାୟକୁ ଖାରଜ କରି ନ ଥିଲେ। ଅପରପକ୍ଷରେ ଜୟ ପ୍ରକାଶ ନାରାୟଣଙ୍କ ସୁଦୃଢ଼ ରାଜନୈତିକ ସ୍ଥିତି, ବିହାର ଓ ଗୁଜରାଟରେ ଜାରି ରହିଥିବା ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ନିଜର ପଦବୀ ସୁରକ୍ଷିତ ରଖିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ୍ କରିଥିଲେ। ତେବେ ରାଷ୍ଟ୍ରପତି ଭାବେ ଫକରୁଦ୍ଦୀନ୍ ଏଭଳି ନିଷ୍ପତ୍ତି ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଦେଶରେ ୧୯୭୫ ଜୁନ୍ ୨୫ଠାରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ୨୧ ମାସ ଧରି ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ୧୯୭୧ରେ ଇନ୍ଦିରା ଗରିବ ହଟାଅ ସ୍ଲୋଗାନ୍ ଦେଇ ଲୋକ ସଭା ନିର୍ବାଚନରେ ୫୧୮ ଆସନ ମଧ୍ୟରୁ ୩୫୨ ଆସନ ହାତେଇବାକୁ ସକ୍ଷମ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ରାୟବରେଲୀ ଆସନରୁ ତାଙ୍କ ବିଜୟକୁ ଜୟ ପ୍ରକାଶ ନାରାୟଣ ବିରୋଧ କରିବାରୁ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଜୁନ୍ ୨୫ରେ ରାମଲୀଳା ମଇଦାନରେ ଜୟ ପ୍ରକାଶ ଏକ ସଭାରେ ଇନ୍ଦିରାଙ୍କ ଇସ୍ତଫା ଦାବି କରିଥିଲେ। ଏହାକୁ ଉପସ୍ଥିତ ଜନତା ମଧ୍ୟ ସମର୍ଥନ କରିଥିଲେ। ରାଜନୈତିକ ସ୍ଥିତି ନିଜ ସପକ୍ଷରେ ନ ଥିବା ଦେଖି ଇନ୍ଦିରା ଜରୁରୀକାଳୀନ ସ୍ଥିତି ଜାରି ଲାଗି ନିଷ୍ପତ୍ତି ନେଇଥିଲେ। ଜରୁରୀକାଳୀନ ସ୍ଥିତି ଜାରି ପରେ ଜୟପ୍ରକାଶ, ଲାଲ୍କୃଷ୍ଣ ଆଡଓ୍ବାଣୀ, ଅଟଳବିହାରୀ ବାଜପେୟୀ, ଅଶୋକ ମେହେଟ୍ଟା, ମୋରାରଜୀ ଦେଶାଇ ଆଦି ନେତାଙ୍କୁ ଗିରଫ କରାଯାଇଥିଲା। ଏହି ସମୟ ମଧ୍ୟରେ ସଞ୍ଜୟ ଗାନ୍ଧୀଙ୍କ କେତେକ ପଦକ୍ଷେପ ନେଇ ବିରୋଧୀ ଅଭିଯୋଗ କରିଥିଲେ। ଏହାକୁ ଦେଶର ରାଜନୈତିକ କ୍ଷେତ୍ରରେ କଳା ଇତିହାସ ଭାବେ କେତେକ ଅଭିହିତ କରିଥିଲେ।