୪୪.୫ ଡିଗ୍ରୀରେ ଟିଟିଲାଗଡ଼ : ୮ ଜିଲାରେ ଜାରି ରହିବ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ତାତି। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହୁଛି। ତାତି ଯେତିକି କଷ୍ଟ ଦେଉଛି, ତା’ଠୁ ବଳିପଡ଼ୁଛି ଗୁଳୁଗୁଳି। ଶନିବାର ଅପେକ୍ଷା ରବିବାର ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ୧୩ ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ ୪୪.୫ଡିଗ୍ରୀରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ସମ୍ବଲପୁର ୪୪.୪, ବଲାଙ୍ଗୀର ଓ ସୋନପୁର ୪୪, ହୀରାକୁଦ ୪୩.୩, ଝାରସୁଗୁଡ଼ା ଓ ଭବାନୀପାଟଣା ୪୩, ଅନୁଗୋଳ ଓ ତାଳଚେର ୪୨.୧, ମାଲକାନଗିରି ୪୨ ଏବଂ ସୁନ୍ଦରଗଡ଼ ୪୧.୫ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ କଟକ ୩୯.୪ ଓ ଭୁବନେଶ୍ୱର ୩୯.୭ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସହରରେ ହିଟ୍‌ ଓ୍ବେଭ୍‌ ଜାରି ରହିବ। ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଆଦି ୮ଜିଲାରେ ହିଟ୍‌ ଓ୍ବେଭ୍‌ ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ବିଶେଷକରି ଖରାରେ ନ ବାହାରିବା, କାମ କରିବା ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ନ ବାହାରିବାକୁ କୁହାଯାଇଛି। ଜରୁରୀ କାମ ଥିଲେ ମୁଣ୍ଡରେ ଓଦା କପଡ଼ା ପକାଇବାକୁ ପରାମର୍ଶ ଦେଇଛି ବିଭାଗ। ରୋଷେଇ କରିବା ସମୟରେ ଝରକା, କବାଟ ଖୋଲା ରଖିବାକୁ ବି ଓସ୍‌ଡମା ପରାମର୍ଶ ଦେଇଛି।
ସେପଟେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବା ସମ୍ଭାବନା ରହିଛି। ତେବେ ୨୧ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି।

Share