Categories: ଖେଳ

୪୫ ବର୍ଷ ପୂର୍ବେ ଏକମାତ୍ର ବିଶ୍ୱକପ୍‌ ଜିତିଥିଲା ଭାରତ

ନୂଆଦିଲ୍ଲୀ,୧୬।୩(ପି.ଟି.)- ଚାରି ଦଶନ୍ଧି ପୂର୍ବେ ଭାରତୀୟ ହକି ଦଳ ଆଜିର ଦିନରେ ତା’ର ଏକମାତ୍ର ବିଶ୍ୱକପ୍‌ ଜିତିଥିଲା। ଏହା ଭାରତୀୟ ହକି ଦଳର ଏକ ଜାଜ୍ୱଲ୍ୟମୟ ଅଧ୍ୟାୟ। ୧୯୭୫ରେ ବିଶ୍ୱକପ୍‌ ଚାମ୍ପିୟନ ହେବା ପୂର୍ବରୁ ଭାରତକୁ ୧୯୭୩ ସଂସ୍କରଣର ଫାଇନାଲରେ ହୃଦୟବିଦାରକ ପରାଜୟ ମିଳିଥିଲା। ଅଜିତ ପାଲ ସିଂଙ୍କ ନେତୃତ୍ୱରେ ଭାରତ ମାର୍ଚ୍ଚ ୧୫ ତାରିଖରେ ବିଶ୍ୱକପ୍‌ ଫାଇନାଲରେ ୨-୧ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ କୁଆଲାଲମ୍ପୁରର ମେର୍ଡେକା ଫୁଟବଲ ଷ୍ଟାଡିୟମରେ ଇତିହାସ ରଚିଥିଲା। ଅଶୋକ କୁମାର ଓ ଅସଲମ ଶେର ଖାଁ ସେମିଫାଇନାଲ ଓ ଫାଇନାଲରେ ଷ୍ଟାର ପରଫର୍ମର ଥିଲେ। ‘୧୯୭୩ରେ ଆମେ ବିଶ୍ୱକପ୍‌ ହାତେଇବା ନିକଟତର ହୋଇଥିଲୁ। ଏକଦା ୨-୦ ଗୋଲରେ ଆଗୁଆ ଥିଲୁ। ମୁଁ ଏକ୍ସଟ୍ରା ଟାଇମରେ ଗୋଲ ହାତଛଡ଼ା କରିଥିଲି ଓ ସଡନ ଡେଥରେ ଆମେ ପେନାଲ୍ଟି ଷ୍ଟ୍ରୋକ୍‌ରେ ମିସ କରିଥିଲୁ। ଏହା ହୃଦୟ ବିଦାରକ ଥିଲା। ଏଣୁ ୧୯୭୫ରେ ଆମେ କିଛି ଛାଡ଼ିବାକୁ ଚାହୁଁ ନ ଥିଲୁ ବୋଲି ଫାଇନାଲରେ ବିଜୟସୂଚକ ଗୋଲ କରିଥିବା କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର କହିଛନ୍ତି। ଫାଇନାଲରେ ସ୍କୋର ଦେଇଥିବା ଅସଲମ କହିଛନ୍ତି, ସେହି ଗୋଲ କଦାପି ଭୁଲିପାରିବି ନାହିଁ। ଫାଇନାଲ ଦିନ ଦେଶରେ ଛୁଟି ଘୋଷଣା ହୋଇଥିଲା। ଆମେ ଯୁଆଡ଼େ ଯାଉଥିଲୁ ଲୋକେ ଆମକୁ ବିଶ୍ୱକପ୍‌ ସମ୍ପର୍କରେ ପଚାରୁଥିଲେ। ୪୫ ବର୍ଷ ତଳର ଇତିହାସ ପାଇଁ ଏବେ କେହି ଆମକୁ ଶୁଭେଚ୍ଛା ଜଣାଉନାହାନ୍ତି। ସମସ୍ତେ ଭୁଲଗଲେଣି। ଏଠାରେ କ୍ରିକେଟରଙ୍କୁ ପୂଜା କରନ୍ତି। ହକି ହିରୋଙ୍କୁ ଖୋଜେ କିଏ?

Share