୪୬ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଓଡ଼ିଶାର ୨ୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଦିନକୁ ଦିନ ବଢ଼ୁଛି ମହାମାରୀ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ପର୍ଯ୍ୟନ୍ତ ୧୭୬ ଦେଶରେ କରୋନା ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଏହା ୧୮୨ରେ ପହଞ୍ଚିଛି। ଏଥିରେ ୨ ଲକ୍ଷ ୧୯ ହଜାର ୩୫୧ଜଣ ଆକ୍ରାନ୍ତ ଥିବା ବେଳେ ଆଜି ଏହି ସଂଖ୍ୟା ୨ଲକ୍ଷ ୪୬ ହଜାର ୫୨୨ରେ ପହଞ୍ଚିଛି। ଆକ୍ରାନ୍ତ ୧ଲକ୍ଷ ୪୦ ହଜାର ୫୯୭ଜଣଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ସେହିଭଳି ୭୩୯୦ଜଣଙ୍କ ସ୍ବାସ୍ଥାବସ୍ଥା ସମ୍ବେଦନଶୀଳ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆକ୍ରାନ୍ତଙ୍କ ମଧ୍ୟରୁ ୮୮ହଜାର ୪୮୬ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ହେଲେ ୧୦ହଜାର ୪୯ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଯେଉଁମାନଙ୍କ ଦେହରେ ସାମାନ୍ୟ ଲକ୍ଷଣ ରହିଛି ସେମାନେ ନିଜର ଯତ୍ନ ନେଲେ ଠିକ୍‌ ହୋଇଯିବେ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ବିଶେଷ ଭାବେ କରୋନା ପ୍ରଭାବିତ ଦେଶ ମଧ୍ୟରେ ଚାଇନା, ଇଟାଲୀ, ଇରାନ୍‌, ସ୍ପେନ୍‌, ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା ରହିଛନ୍ତି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରୁ ୨୦୬ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ୫ ହୋଇଛି। ଓଡ଼ିଶାର ୨ୟ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୧୯ ବର୍ଷୀୟ ଏହି ଯୁବକ ୟୁକେରୁ ଫେରିଥିଲେ। ୧୮ତାରିଖରେ ଓଡ଼ିଶାରେ ପହଞ୍ଚିଥିବା ପରେ ୧୯ରେ ତାଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ତାଙ୍କୁ ପରିବାରଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରଖାଯାଇଛି। ଆଜି ପର୍ଯ୍ୟନ୍ତ ୬୬ଟି ନମୂନା ପଠାଯାଇଥିଲା। ସେଥିରୁ ୬୨ଜଣଙ୍କର ରିପୋର୍ଟ ଆସିଛି। ୨ଜଣଙ୍କ ନମୂନା ପଜିଟିଭ ଆସିଥିବା ବେଳେ ୪ଜଣଙ୍କ ରିପୋର୍ଟ ଆସିନାହିଁ। ଉକ୍ତ ଯୁବକ ୪୬ଜଣ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କମଧ୍ୟରୁ ୪୩ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ଅନ୍ୟ ୩ଜଣଙ୍କୁ ଟ୍ରେସ୍‌ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ୮ଟି ମନିଟରିଂ ଟିମ୍‌ ଗଠନ କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆଇସୋଲେଶନ ବ୍ୟବସ୍ଥା କରାଯିବ ବୋଲି ବୋଲି ସେ କହିଛନ୍ତି।

Share