Categories: ଜାତୀୟ

୪୬୦ ଦିନରେ ଭାଙ୍ଗିଲା କମଲନାଥଙ୍କ ସରକାର

ଭୋପାଳ,୨୦।୩: ଯାହା ଆଶା କରାଯାଉଥିଲା ତାହାହିଁ ହେଲା। ମାତ୍ର ୧୫ ମାସ ଅର୍ଥାତ୍‌ ୪୬୦ ଦିନ ମଧ୍ୟରେ ମଧ୍ୟପ୍ରଦେଶରେ ଭାଙ୍ଗିଗଲା କଂଗ୍ରେସ ଶାସିତ କମଲନାଥ ସରକାର। ଶୁକବାର ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଇସ୍ତଫା ଦେବେ ବୋଲି ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିବା ପରେ ଏହା ସ୍ପଷ୍ଟ ହୋଇଛି। ବହୁମତ ସାବ୍ୟସ୍ତ ପାଇଁ ସୁପ୍ରିମକୋର୍ଟ ଗୁରୁବାର କମଲନାଥ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ବହୁ ବାଦ ବିବାଦ ଭିତରେ କମଲନାଥ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି। ଭୋପାଳରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କମଲନାଥ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଦୋଷାରୋପ କରିବା ସହ ଘୋଡ଼ା ବେପାର କରି କଂଗ୍ରେସ ବିଧାୟକମାନଙ୍କୁ କିଣା ଯାଇଥିବା କହିଛନ୍ତି। ଏହାସହ କଂଗ୍ରେସ ବିଧାୟକମାନଙ୍କୁ ଜୋର ଜବରଦସ୍ତ ଇସ୍ତଫା ଦେବାକୁ ଭାଜପା ବାଧ୍ୟ କରିଥିବା ମଧ୍ୟ କମଲନାଥ କହିଛନ୍ତି। ସୂଚନାଯୋଗ୍ୟ, ଖବରଦାତା ସମ୍ମିଳନୀ ସରିବା ପରେ କମଲନାଥ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଗତ ୨ ସପ୍ତାହ ମଧ୍ୟରେ ମଧ୍ୟପ୍ରଦେଶରେ ଯାହା ଚାଲିଛି ତାହା ଗଣତନ୍ତ୍ରରେ ଏକ ନୂଆ ଅଧ୍ୟାୟ।

Share