୪୬୮ ଟ୍ରେନ୍‌ରେ ଫେରିଲେଣି ୫ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୨ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରାଯାଉଛି। ମେ’ ୧ରୁ ଇତିମଧ୍ୟରେ ୪୬୮ଟି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ୫ ଲକ୍ଷରୁ ଅଧିକ ଶ୍ରମିକ ଘରକୁ ଫେରିଛନ୍ତି। ଏଣିକି ରେଲଓ୍ବେ ପ୍ରତିଦିନ ୧୦୦ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି। ୩୬୩ଟି ଟ୍ରେନ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ସାରିଥିବାବେଳେ ୧୦୫ଟି ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଛି। ଉତ୍ତରପ୍ରଦେଶକୁ ସର୍ବାଧିକ ୧୭୨ଟି ଟ୍ରେନ୍‌ ଯାଇଥିବାବେଳେ ବିହାରକୁ ୧୦୦ ସ୍ବତନ୍ତ୍ର ଟ୍ରେନ ପଠାଯାଇଛି। ଝାଡ଼ଖଣ୍ଡକୁ ୨୨, ମଧ୍ୟପ୍ରଦେଶକୁ ୩୦ଟି ଏବଂ ଓଡିଶାକୁ ୨୫ଟି ଟ୍ରେନ ପଠାଯାଇଥିବାବେଳେ ପଶ୍ଚିମବଙ୍ଗକୁ ୨ଟି ଓ ତାମିଲନାଡୁକୁ ଗୋଟିଏ ଟ୍ରେନ୍‌ ପଠାଯାଇଛି।
ନୂଆ ଗାଇଡ୍‌ଲାଇନ ଅନୁଯାୟୀ ଏଣିକି ସ୍ବତନ୍ତ୍ର ଟ୍ରେନ୍‌ରେ ୧୨୦୦ ପରିବର୍ତ୍ତେ ୧୭୦୦ ଶ୍ରମିକ ଯାଇପାରିବେ। ସେହିପରି ଏହି ଟ୍ରେନ୍‌ଗୁଡ଼ିକ ଗନ୍ତବ୍ୟସ୍ଥଳ ଷ୍ଟେଶନ ବ୍ୟତୀତ ଅନ୍ୟ ୩ଟି ସ୍ଥାନରେ ରହଣି କରିବା ଲାଗି ଅନୁମତି ମିଳିଛି। ଏଥିପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ଅନୁରୋଧ କରାଯାଇଥିଲା।

Share