Advertisement
Categories: ମେଟ୍ରୋ

୪୬.୩ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ତାଳଚେର : ୪୦ ଡିଗ୍ରୀ ଟପିଲା ୧୪ ଜିଲା, ୫ ଜିଲାକୁ ହିଟ୍‌ ଓ୍ବେଭ୍‌ ଜାରି

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଉପକୂଳ ହେଉ କି ପଶ୍ଚିମ ଓଡ଼ିଶା, ସବୁଠି ତାତି ଅସହ୍ୟ ହେଉଛି। କ୍ରମାଗତ ଭାବେ ତାପମାତ୍ରା ବଢ଼ୁଛି। ରବିବାର ତାଳଚେରରେ ତାତି ରେକର୍ଡ ଭାଙ୍ଗିଛି। ଏଠାରେ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ରବିବାର ରାଜ୍ୟର ୧୪ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ା ୪୩.୨, ଅନୁଗୋଳ ୪୩.୧, ସମ୍ବଲପୁର ଓ ବଲାଙ୍ଗୀର ୪୩, ଭବାନୀପାଟଣା ୪୨.୫, ହୀରାକୁଦ ୪୧.୯, ଫୁଲବାଣୀ ୪୧.୮, ସୋନପୁର ୪୧.୬, ମାଲକାନଗିରି ୪୧.୫, ସୁନ୍ଦରଗଡ଼ ୪୧, କେନ୍ଦୁଝର ୪୦.୬ ଓ ଚାନ୍ଦବାଲିରେ ୪୦.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ୱରର ତାପମାତ୍ରା ୩୮.୮ ଡିଗ୍ରୀ ରହିଥିବା ବେଳେ କଟକର ୩୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆହୁରି ୩ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପୂର୍ବ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମେ ୨ ଯାଏ ତାତିର ପ୍ରକୋପ ଅନୁଭୂତ ହେବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପରେ ପରେ ପାଗ ମେଘୁଆ ରହିବା ସହିତ ତାତି କମିବା ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ଆର୍ଦ୍ରତା ବଢ଼ିଯାଇଛି। ଫଳରେ ତାତି ସହ ଗୁଳୁଗୁଳିରେ ଲୋକେ ସିଝୁଛନ୍ତି। ପାଣିପାଗ କେନ୍ଦ୍ର ପକ୍ଷରୁ ୫ ଜିଲାକୁ ହିଟ୍‌ ଓ୍ବେଭ୍‌ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share