୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ। ନିର୍ବାଚନ ମଇଦାନରେ ଓହ୍ଲାଇଥିବା ସମସ୍ତ ୪୭ ପ୍ରତିଦ୍ୱନ୍ଦୀଙ୍କ ହୃଦସ୍ପନ୍ଦନ ବଢିବାରେ ଲାଗିଛି। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ସନ୍ଧ୍ୟା ସୁଦ୍ଧା ବେସରକାରୀ ଭାବେ ସ୍ପଷ୍ଟ ହୋଇଯିବ। ଜିଲା ପାଇଁ ମୋଟ ଦୁଇଟି ସ୍ଥାନରେ ଗଣତି ଆରମ୍ଭ ହୋଇଛି l ଭଦ୍ରକ କଲେଜ ଓ ଜିଲା ସଂସ୍କୃତି ଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି l ତେବେ ଫଳାଫଳ ଘୋଷଣା ପରେ ପରିସ୍ଥିତି ଉପରେ ନଜର ରଖିଛି ଜିଲା ପୋଲିସ। ଭଦ୍ରକ ସଂସଦୀୟ କ୍ଷେତ୍ର ଓ ୫ ବିଧାନସଭା ଆସନ ପାଇଁ ମୋଟ ୪୭ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ଲକ୍‌ ହୋଇ ରହିଛି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଭଦ୍ରକ ଲୋକସଭା ପାଇଁ ୮ଜଣ, ଭଣ୍ଡାରିପୋଖରୀ ବିଧାନସଭା ପାଇଁ ୧୦, ଭଦ୍ରକ ବିଧାନସଭା ପାଇଁ ୮, ବାସୁଦେବପୁର ବିଧାନସଭା ପାଇଁ ୬, ଧାମନଗର ବିଧାନସଭା ପାଇଁ ୮ ଏବଂ ଚାନ୍ଦବାଲି ବିଧାନସଭା ପାଇଁ ୭ଜଣ ପ୍ରାର୍ଥୀ ରହିଥିବା ଜଣାପଡିଛି। ମୋଟ ଭଦ୍ରକ ଲୋକସଭା ପାଇଁ ୮ ଜଣ ପ୍ରାର୍ଥୀଙ୍କୁ ୧୨ ଲକ୍ଷ ୧୭ ହଜାର ୯୦୯ ଭୋଟର ମତଦାନ କରିଥିବା ବେଳେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ର ପାଇଁ ୧ ଲକ୍ଷ ୭୩ ହଜାର ୪୬୮ ଭୋଟର ମତଦାନ କରିଛନ୍ତି। ସେହିଭଳି ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ୧ ଲକ୍ଷ ୮୦ ହଜାର ୨୪୭, ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ୧ ଲକ୍ଷ ୮୮ ହଜାର ୨୩୮, ଧାମନଗର ବିଧାନସଭା କ୍ଷେତ୍ର ପାଇଁ ୧ ଲକ୍ଷ ୬୬ ହଜାର ୬୦୦, ଚାନ୍ଦବାଲି ବିଧାନସଭା କ୍ଷେତ୍ର ପାଇଁ ୧ ଲକ୍ଷ ୮୦ ହଜାର ୮୦୫ ଭୋଟର ନିଜ ପ୍ରିୟ ନେତାଙ୍କୁ ମତଦାନ କରିଛନ୍ତି। ଚଳିତ ନିର୍ବାଚନରେ ମୋଟ ୭୩.୪୨ ପ୍ରତିଶତ ମତଦାନ ହୋଇଥିବା ବେଳେ ପୁରୁଷ ମତଦାନ ହାର ୫ ଲକ୍ଷ ୯୮ ହଜାର ୩୯୨(୬୯.୬୩ ପ୍ରତିଶତ), ମହିଳା ମତଦାନ ହାର ୬ ଲକ୍ଷ ୧୯ ହଜାର ୫୦୪ ମତଦାନ (୭୭.୫୧ ପ୍ରତିଶତ) ଓ ଅନ୍ୟାନ୍ୟ ୧୩ ଜଣ (୧୦.୪୮ ପ୍ରତିଶତ) ମତଦାନ ହାର ରହିଥିବା ଜଣାପଡିଛି।

Share