୪୭ ବର୍ଷ ବୟସରେ ବି ସୁପରଫିଟ୍‌ ମନ୍ଦିରା

ବମ୍ବେ: ବୟସବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଏ। ହେଲେ କେତେଜଣ ନାୟିକା ଅଛନ୍ତି ଯେଉଁମାନେ ସବୁବେଳେ ଏଭରଗ୍ରିନ୍‌। ସେ ରେଖା ହୁଅନ୍ତୁ ଅବା ମାଧୁରୀ, ବୟସର ଛାପ ଯେମିତି ସେମାନଙ୍କ ପାଖ ମାଡେନି ସେଭଳି ମନେହୁଏ। କେବଳ ଯେ ବଲିଉଡ୍‌ ଅଭିନେତ୍ରୀ ତାହା ନୁହେଁ ଟେଲି ଅଭିନେତ୍ରୀମାନେ ନିଜର ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଯାହାର ଏକ ଉଦାହରଣ ହେଉଛନ୍ତି ମନ୍ଦିରା ବେଦୀ। ମନ୍ଦିରାଙ୍କୁ ଏବେ ୪୭ ବର୍ଷ ହୋଇଥିବା ବେଳେ ସେ ସୁପରଫିଟ୍‌ ମହିଳାଙ୍କ ତାଲିକାରେ ଅଛନ୍ତି।

ଟେଲି ସିରିଜ୍‌ ‘ଶାନ୍ତି’ର ମୁଖ୍ୟ ଅଭିନେତ୍ରୀ ଚରିତ୍ରରେ ନଜର ଆସିଥିବା ମନ୍ଦିରା ମଲ୍ଟି ଟ୍ୟାଲେଣ୍ଟଡ୍‌। ଅଥବା କହିପାରିବେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଆଇସିସି କ୍ରିକେଟ ବିଶ୍ୱକପ୍‌ର ହୋଷ୍ଟ ସହ ଜଣେ ଫ୍ୟାଶନ୍‌ ଡିଜାଇନର ଏବଂ ଫିଟ୍‌ନେସ୍‌ ଆଇକନ୍‌ ମଧ୍ୟ।

ପ୍ରତିଦିନ ବ୍ୟାୟାମକୁ କିଛି ସମୟ ଦେବା ଓ ଯୋଗ କରିବା ତାଙ୍କର ଫିଟ୍‌ନେସର କାରଣ। ସେ ଅନେକ ଥର ନିଜ ବ୍ୟାୟାମ ସମୟର ଫଟୋ ଓ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ମଧ୍ୟ ପ୍ରେରଣା ଦେଇଥାନ୍ତି। ଯଦି ତାଙ୍କ ଇନ୍‌ଷ୍ଟା ପୃଷ୍ଠାକୁ ଯିବେ ଏଭଳି ଅନେକ କିଛି ଆପଣ ଦେଖିପାରିବେ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସ୍ବାମୀ ରାଜ କୌଶଲଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇଥାନ୍ତି।

ଇତି ମଧ୍ୟରେ ମନ୍ଦିରା ଫିଲ୍ମ ଜଗତରେ ୨୫ ବର୍ଷ ପୂରଣ କରିଥିବା ବେଳେ ସଫଳତାର ଶ୍ରେୟ ପରିବାର ଏବଂ ସ୍ବାମୀଙ୍କୁ ଦିଅନ୍ତି। ତାଙ୍କୁ ଡିଡିଏଲ୍‌ଜେ, ସାହୋ, ଇତ୍‌ଫାକ୍‌, ଭୋଡକା ଡାଇରିଜ୍‌ ଭଳି ଫିଲ୍ମରେ ଦେଖିବାକୁ ମିଳିଛି।

Share