୪୮୦ ବସ୍ତା ୟୁରିଆ ସାର ବାଟରୁ ଉଭାନ ଧରାପଡିଲା

ବଡ଼ଗାଁ, ୨୫।୯ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମସ୍ଥିତ ସମବାୟ ସମିତି (ଲ୍ୟାମ୍ପ୍ସ)ର କର୍ମଚାରୀମାନେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଘଟଣା ଗୋଟିଏ ପରେ ଗୋଟିଏ ଲୋକ ଲୋଚନକୁ ଆସୁଛି। ଭୂତ କର୍ମଚାରୀ ଦର୍ଶାଇ, ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ସମବାୟ ସମିତିର ଅର୍ଥ ଜମା କରି ଓ ଋଣ କରି ଉଠାଣ ହୋଇଥିବା ଜଣାପଡିଥିଲା ବେଳେ ଚାଷୀମାନଙ୍କୁ ସୁଲଭମୂଲ୍ୟରେ ଦେବା ପାଇଁ ଆସିଥିବା ୟୁରିଆ ସାର ଲ୍ୟାମ୍ପ୍ସର ଗୋଦାମରେ ନ ପହଞ୍ଚତ୍ ବାଟରୁ ଉଭାନ ହେବା ଭଳି ଆଉ ଏକ ଦୁର୍ନୀତି ଧରାପଡିଛି। ଦିଅଁ ସହିତ ଖଟୁଲି ଖାଇବା ଭଳି ଏକାଧିକ ଘଟଣା ଜଣାପଡିଲା ପରେ ଚାଷୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ହେଲା ୨୦୧୩ ଅଗଷ୍ଟ ୩୦ ତାରିଖ ପାନପୋଷ ମାର୍କଫେଡରୁ ୪୦୦ କୁଇଣ୍ଟାଲ ୟୁରିଆ ସାର ବସ୍ତା (ବିଲ ନଂ. ୨୭୪୭୬) ସାହାଜବାହାଲ ଲ୍ୟାମ୍ପ୍ସକୁ ଯୋଗାଣ ହୋଇଥିଲା । ୨ଲକ୍ଷ ୫୯ ହଜାର ୨୭୯ ଟଙ୍କା ମୂଲ୍ୟର ସାର ବସ୍ତା ନେଇ ଆସୁଥିବା ଯାନ ଲ୍ୟାମ୍ପ୍ସର ଗୋଦାମକୁ ପହଞ୍ଚତ୍ ନ ଥିଲା। ଅସାଧୁ କର୍ମଚାରୀମାନେ ବାଟରୁ ସମସ୍ତ ସାର ଉଭାନ କରିଦେଇଥିଲେ। ସେହିପରି ୨୦୧୩ ନଭେମ୍ବର ୭ ତାରିଖ ରାଉରକେଲା ମାର୍କଫେଡରୁ ୧୪୦ ବସ୍ତା ୟୁରିଆ ସାର (ବିଲ ନଂ. ୨୪୦୩୨) ଲ୍ୟାମ୍ପ୍ସକୁ ଯୋଗାଣ ହୋଇଥିଲା। କିନ୍ତୁ ଗୋଦାମରେ ଶହେ ବସ୍ତା ରଖି ବାକି ୪୦ ବସ୍ତା ହଡପ କରାଯାଇଥିଲା । ଏହି ସବୁ ଦୁର୍ନୀତି ଉପରେ ଅଭିଯୋଗକ୍ରମେ ତଦନ୍ତ ଆରମ୍ଭ ହୋଇଛି। ସେ ସମୟର ଲ୍ୟାମ୍ପ୍ସ ଏମ୍‌ଡି ଚୁଡାମଣୀ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ଲ୍ୟାମ୍ପ୍ସରେ ୨୦୧୦ ରୁ ୨୦୧୮ ମସିହା ମଧ୍ୟରେ ପ୍ରାୟ ଦେଢ଼ କୋଟି ଟଙ୍କା ଚଞ୍ଚକତା, ଅନିୟମିତତା, ଦୁର୍ନୀତି କରି କର୍ମଚାରୀମାନେ ନେଇଯାଇଥିବା ଆଶଙ୍କା କରାଯାଉଛି। ଲ୍ୟାମ୍ପ୍ସରେ ପରିଚାଳନା ଦ୍ୱାରା ଏମଡି ନିଯୁକ୍ତି କରାଯାଇଥିଲେ ମଧ୍ୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କୁ ଲ୍ୟାମ୍ପ୍ସ ଏମଡି ଦାୟୀତ୍ୱ ଦିଆଯାଇଥିଲା । ଏହି ସମୟ ମଧ୍ୟରେ ସଂସ୍ଥାକୁ ଖୋଳ କରାଯାଇଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ସଂସ୍ଥାକୁ ସଜାଡି ଠିକ ପରିଚାଳନା କରିବା ଦିଗରେ ଉଚ୍ଚ ଅଧିକାରୀମାନେ ଦୃଷ୍ଟି ଦେବା ଓ ଅସାଧୁ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Share