୪୮ ଦିନ ପରେ ବ୍ରହ୍ମପୁର ଫେରିଲେ ଶିବାଶିଷ: କହିଲେ ‘ମୁଁ ପୁନର୍ଜନ୍ମ ପାଇଛି’

ବ୍ରହ୍ମପୁର ଅଫିସ, ୧୪।୩- ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍‌ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ ୨୭ରେ ଭାରତ ଫେରିଥିଲେ। ୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ଶୁକ୍ରବାର ବିଳମ୍ବିତ ରାତିରେ ଫେରିଛନ୍ତି। ସେ ଫେରିବା ପରେ ପରିବାର ଲୋକଙ୍କ ଆନନ୍ଦ କହିଲେ ନ ସରେ। ଶିବାଶିଷଙ୍କୁ ସାକ୍ଷାତ୍‌ ବେଳେ ସେ କହିଛନ୍ତି ଯେ ମୁଁ ପୁନର୍ଜନ୍ମ ପାଇଛି। ଭଗବାନଙ୍କ କୃପା, ମା’ବାପାଙ୍କ ଆଶୀର୍ବାଦ ଓ ଖବରଦାତାଙ୍କ ଲଗାତାର ସହଯୋଗ ଯୋଗୁ ମୁଁ ଘରକୁ ଫେରି ଆସିଛି ବୋଲି ସାକ୍ଷାତ୍‌ ବେଳେ ସେ କହିଛନ୍ତି। ଶିବାଶିଷଙ୍କ କମ୍ପାନୀ ପକ୍ଷରୁ ବ୍ୟବସ୍ଥା ପ୍ରକାରେ ଶୁକ୍ରବାର ଅପରାହ୍ନରେ ସେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଥିଲେ । ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ପରିବାରବର୍ଗ। ଭୁବନେଶ୍ୱର ବିମାନବନ୍ଦରରେ ପୁଅକୁ ଦେଖି ଆନନ୍ଦରେ ଆତ୍ମବିଭୋର ହୋଇଯାଇଥିଲେ ତାଙ୍କ ବାପା ଲିଙ୍ଗରାଜ ଓ ମା’ ଝୁନୁ। ବିଳମ୍ବିତ ରାତ୍ରିରେ ସେମାନେ ବଡ଼ବଜାର ଥାନା ଅନ୍ତର୍ଗତ ପନ୍ଦରାସାହି ବାସଭବନକୁ ଫେରିଥିଲେ। ନିଜ ଘରକୁ ୪୮ ଦିନ ପରେ ଫେରିଥିବାରୁ ଅଜଣା ଆତଙ୍କ ଓ ଆତ୍ମଗ୍ଳାନିରୁ ମୁକ୍ତି ପାଇଛନ୍ତି ବୋଲି ଦେବାଶିଷ କହିଛନ୍ତି। ଜାପାନର ୟକୋହୋମା ଡାଏମଣ୍ଡ ପ୍ରିନ୍ସସେସ ଜଳଜାହାଜରେ ୨୩ ଦିନ ରହଣିର ଅନୁଭୂତି ଏବଂ ଭାରତୀୟ ଜାଠ ରେଜିମେଣ୍ଟରେ ୧୫ ଦିନର ରହଣି କିପରି ଥିଲା ସେ ସମ୍ପର୍କରେ ଶିବାଶିଷ ବିସ୍ତୃତ ଭାବେ କହିଛନ୍ତି। ପ୍ରତି ମୁହୂର୍ତ୍ତରେ ମାରାତ୍ମକ କରୋନା ଭୂତାଣୁ ଭୟ ମଧ୍ୟରେ କିପରି ଦିନ କାଟୁଥିଲେ ସେ ସମ୍ପର୍କରେ ଶିବାଶିଷ ବଖାଣିଛନ୍ତି। ଅନ୍ୟପଟେ ପୁଅ ସୁରକ୍ଷିତ ଭାବେ ଭାରତ ଫେରିଥିବାରୁ ତାଙ୍କ ମା’ ବାପା ବେଶ୍‌ ଆନନ୍ଦିତ ବୋଲି କହିଛନ୍ତି।

Share