୪୮ ନୂଆ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ସଂଗରୋଧରେ ଥିଲେ ୪୭ ଆକ୍ରାନ୍ତ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ରାଜ୍ୟରେ ସୋମବାର ପୂର୍ବାହ୍ନରେ ୪୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି। ତେବେ ଏହି ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ୪୮ଜଣଙ୍କ ମଧ୍ୟରୁ ୪୭ଜଣ ବାହାର ରାଜ୍ୟରୁ ଫେରିଥିବା ବେଳେ କ୍ୱାରାଣ୍ଟାଇନ ସେଣ୍ଟରରେ ଥିଲେ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।
ଯାଜପୁରରୁ ଚିହ୍ନଟ ସମସ୍ତ ୧୬ ଆକ୍ରାନ୍ତ ବାହାର ରାଜ୍ୟ ଫେରାନ୍ତା। ୭ଜଣ ପଶ୍ଚିମବଙ୍ଗ, ଜଣେ ତେଲେଙ୍ଗାନା, ୪ ଆନ୍ଧ୍ର, ୪ ଅହମ୍ମଦାବାଦ ଫେରନ୍ତା। ସେହିପରି ଗଞ୍ଜାମରୁ ଚିହ୍ନଟ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ସୁରଟ ଫେରନ୍ତା ହୋଇଥିବା ବେଳେ ଜଣେ ବାଙ୍ଗାଲୋର ଫେରନ୍ତା। ପୁରୀର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ତାମିଲନାଡ଼ୁ, ଜଣେ ଆନ୍ଧ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଯୁବକ ବୋଲି ଜଣାପଡ଼ିଛି। କେନ୍ଦ୍ରାପଡ଼ାର ସମସ୍ତ ୩ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ନୟାଗଡ଼ର ଚିହ୍ନଟ ୩ ଆକ୍ରାନ୍ତ ଅହମ୍ମଦାବାଦ ଫେରନ୍ତା। ବଲାଙ୍ଗୀରର ୨ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ବେଳେ କନ୍ଧମାଳର ୨ ଆକ୍ରାନ୍ତ ତାମିଲନାଡ଼ୁ ଫେରନ୍ତା। ବୌଦ୍ଧ ଓ ଖୋର୍ଦ୍ଧାର ଜଣେ ଲେଖାଏ ଆକ୍ରାନ୍ତ ସୁରଟ ଫେରନ୍ତା। କଟକରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି।

Share