ନରାଜ,୧୫।୩(ଡି.ଏନ୍.ଏ.): ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ସବୁ ଧର୍ମ ସହ ଜଡ଼ିତ। ହିନ୍ଦୁ ,ବୌଦ୍ଧ ଓ ଶିଖ୍ ଧର୍ମରେ ଏହା ବିଶେଷ ଭାବେ ପ୍ରଚଳିତ। ଜନମାନସରେ ଏହାକୁ ରୁଚିକର କରିବା ପାଇଁ ସଂକୀର୍ତ୍ତନ ବୋଲି କୁହାଯାଏ। ଖୋଳ ଓ ତାଳ ମାଧ୍ୟମରେ ପ୍ରଭୁଙ୍କ ନାମ ଜପ କରି ତାଙ୍କ ଲୀଳାର ପ୍ରସାର କରାଇବା ଏହି ସଂକୀର୍ତ୍ତନର ମୂଳ ଉଦ୍ଦେଶ୍ୟ । ପୂର୍ବରୁ ପ୍ରାୟ ସବୁ ଗ୍ରାମରେ ଏଭଳି ସଂକୀର୍ତ୍ତନ ମଣ୍ଡଳୀ ଥିଲା। କାଳକ୍ରମେ ଏହି ସଂକୀର୍ତ୍ତନ ଜନମାନସରୁ ଲୋପ ପାଇବାକୁ ବସିଲାଣି। ସରକାର ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ପ୍ରୋତ୍ସାହନ ସହ ୫୦ ବର୍ଷରୁ ଊର୍ଦ୍ଧ୍ୱ କଳାକାରମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ଏହାସତ୍ତ୍ୱେ ଏହି ପ୍ରାଚୀନ ପରମ୍ପରାକୁ ଆପଣେଇବାକୁ କଳାକାରମାନେ ତତ୍ପରତା ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତିରେ ବାରଙ୍ଗ ଅଞ୍ଚଳର ୪୮ ସଂକୀର୍ତ୍ତନ ମଣ୍ଡଳୀ ଏହି ପରମ୍ପରାକୁ ବଞ୍ଚେଇ ରଖବାକୁ ପ୍ରୟାସ ଜାରି ରଖିଛି। ବିଶେଷକରି କାର୍ତ୍ତିକ, ଫାଲଗୁନ, ଚୈତ୍ର ଓ ବୈଶାଖ ଆଦି ମାସରେ କିମ୍ବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଏହି ମଣ୍ଡଳୀ ପକ୍ଷରୁ କରାଯାଉଥିବା ସଂକୀର୍ତ୍ତନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଦୃତ ଲାଭ କରିଛି।
ପଟିଆ ମଦନ ମୋହନ ରାଜା ବାରଙ୍ଗର ପ୍ରାଚୀ ନଦୀ ତଟରେ ବାଲିଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ସଂକୀର୍ତ୍ତନ ଶୁଣିବାକୁ ଲୋକେ ପସନ୍ଦ କରୁଥିବାରୁ ରାଜା ଏହି ବାଲିଯାତ୍ରା ସମୟରେ ୪୮ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀକୁ ଏକତ୍ରିତି କରି ୪୮ ମଣ୍ଡଳ ସଂକୀର୍ତ୍ତନ ଗଢ଼ିଥିଲେ। ଏହାର ଦାୟିତ୍ୱ ଜଣେ ମହନ୍ତ ଓ ଅଧିକାରୀଙ୍କୁ ଦିଆଯାଇଥିଲା। ସେହିପରି ୪୮ ସଂକୀର୍ତ୍ତନ ମଣ୍ଡଳୀକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରତ୍ୟେକ ମଣ୍ଡଳୀର ଦାୟିତ୍ୱ ଜଣେ ଲେଖାଏ ମହନ୍ତ ଓ ଅଧିକାରୀଙ୍କୁ ଦିଆଯାଇଥିଲା। ଏହି ମହନ୍ତ ଓ ଅଧିକାରୀମାନେ ବଂଶାନୁକ୍ରମିକଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ସେହିଦିନଠାରୁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ୪୮ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବାଲିଯାତ୍ରା ଆୟୋଜନ କରାଯାଉଛି। ଏଥିରେ ସବୁ ମଣ୍ଡଳର ମହନ୍ତମାନେ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ କରିଥାନ୍ତି। ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହି ସଂକୀର୍ତ୍ତନ ମଣ୍ଡଳୀ ଏବେବି ନିଜ ପରମ୍ପରା ବଞ୍ଚେଇ ରଖିଛି। ନୂତନ ପିଢ଼ିକୁ ସଂକୀର୍ତ୍ତନ ସହ ଯୋଡିବା ପାଇଁ ଏହି ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଖୋଳ ତାଳ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।