୪ ଏକର ଡଙ୍ଗର ଜମିକୁ ଚାଷୋପଯୋଗୀ କଲେ ୯୦ ବର୍ଷୀୟ ବୃଦ୍ଧ

ପାପଡାହାଣ୍ଡି,୩।୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ଗାଦବା କତରା ଗ୍ରାମର ମୁନା ମାଧବ। ବୟସ ୯୦ରୁ ଊର୍ଦ୍ଧ୍ୱ । ତଥାପି ଜୀବନରେ ହାର ମାନି ନାହାନ୍ତି । ଯେଉଁ କାମ ଯୁବପିଢି କରିପାରିବେ ନାହିଁ, ବୟସର ଅପରାହ୍ନରେ ପହଞ୍ଚି ସେ ତାହା କରି ଦେଖାଇଛନ୍ତି। ନିଜସ୍ବ ଉଦ୍ୟମରେ ୪ ବର୍ଷରେ ୪ ଏକର ଡଙ୍ଗର ଜମିକୁ ସମତୁଲ କରି ଚାଷ ଉପଯୋଗୀ କରିଛନ୍ତି । ସତେ ଯେମିତି ଜୀବିକା ଆଗରେ ହାର ମାନିଛି ବୟସ । ଯୁବପିଢି ପାଇଁ ସେ ସାଜିଛନ୍ତି ଉଦାହରଣ ।
ମୁନାଙ୍କ ପତ୍ନୀ ଗତ ୨୦ ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ ସେ ବର୍ତ୍ତମାନ ଏକାକୀ ରହୁଛନ୍ତି । ପ୍ରଥମେ ଗୋରୁ ବ୍ୟବସାୟ କରୁଥିଲେ । ପରବର୍ତ୍ତୀ ସମୟରେ ସେ ଚାଷକୁ ହିଁ ନିଜର ଜୀବିକା ଭାବେ ଗ୍ରହଣ କରିଥିଲେ। ନିଜର କିଛି ଜମିରେ ଧାନ ଚାଷ କରି ଯାହା ରୋଜଗାର ହୁଏ ସେଥିରେ ଗୁଜୁରାଣ ମେଣ୍ଟାଇଥାନ୍ତି । ବର୍ତ୍ତମାନ ବୟସର ଅପରାହ୍ନରେ ପହଞ୍ଚିଛନ୍ତି। ତଥାପି ମୁନାଙ୍କ ନିକଟରେ ରହିଛି ପରିଶ୍ରମ କରିବାର ଦୃଢ ମନୋବଳ। ସକାଳୁ ସା ପର୍ଯ୍ୟନ୍ତ ହାତରେ ଫାଉଡା ଧରି ଜମିକୁ ସମତୁଲ କରିବାରେ ଲାଗି ପଡିଥାନ୍ତି ମୁନା । ଗତ ୪ ବର୍ଷ ହେଲା ସେ ୪ ଏକର ଡଙ୍ଗର ଜମିକୁ ଖୋଳି ଚାଷ ଜମିରେ ତିଆରି କରିଛନ୍ତି। ମୁନାଙ୍କ ଏପରି କାର୍ଯ୍ୟକୁ ଦେଖି ଗ୍ରାମବାସୀ ପ୍ରଶଂସା କରିବା ସହ ଆଜିର ଯୁବପିଢି ପାଇଁ ସେ ଉଦାହରଣ ବୋଲି କହିଛନ୍ତି । ଦୁଇ ତିନ ଦିନ ପର୍ଯ୍ୟନ୍ତ କିଛି ବି ନ ଖାଇ ମୁନା ରହି ପାରୁଥିବା ଗ୍ରାମବାସୀ କହିଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ ୧୦ କେଜି ଚାଉଳ ଓ ୭୦୦ ଟଙ୍କା ଭତ୍ତା ମିଳୁଛି । ଏକ ଭଙ୍ଗା ଚାଳ ଘରେ ରହୁଥିଲେ ମଧ୍ୟ ଆବାସ ଯୋଜନାରେ ତାଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ । ବାରମ୍ବାର ପ୍ରଶାସନ ନିକଟରେ ଘର ଟିଏ ପାଇଁ କହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳି ନାହିଁ । ଖରା ଓ ଶୀତ ଦିନ ଯେମିତି ସେମିତି ଚଳି ଯାଏ କିନ୍ତୁ ବର୍ଷା ଦିନେ ରହିବାକୁ ବହୁତ ଅସୁବିଧା ହୁଏ ବୋଲି ସେ କହିଛନ୍ତି।୧୯୪୨ ପାପଡାହାଣ୍ଡି ଗୁଳିକାଣ୍ଡ ଦେଖିଥିବା ମୁନା କହିଛନ୍ତି । ପ୍ରଶାସନ ତରଫରୁ ଏପରି ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେବା ଲାଗି ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Share