୪ କିମି ଚାଲି ଚାଲି କନ୍ୟା ଘରେ ପହଞ୍ଚିଲେ ବର

ଡେରାଡୁନ,୩୦।୧: ଜାନୁୟାରୀ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଲାଗି ରହିଛି। ଲଗାତର ବରଫପାତ ଯୋଗୁ ସ୍ଥାନୀୟ ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଉତ୍ତରାଖଣ୍ଡର ଚମୋଲି ଜିଲାରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ବରଫପାତ ଯୋଗୁ ବିଜରା ଗ୍ରାମରେ ବର କନ୍ୟା ଘରକୁ ଯିବାପାଇଁ ପ୍ରାୟ ୪ କିମି ଚାଲି ଚାଲି ଯିବାକୁ ପଡିଛି। ବରଯାତ୍ରୀଙ୍କ ସହ ବର ହାତରେ ଛତା ଧରି କନ୍ୟା ଘରକୁ ଯାଇଥିଲେ। ଏଠାରେ ସଡ଼କ ପଥରେ ବରଫ ଗଦା ହୋଇଥିବାରୁ ଯାନବାହନ ଚଳାଚଳ କରିପାରୁନାହିଁ ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପ୍ରବଳ ବରଫପାତ ଯୋଗୁ ଚମେଲିରେ ପ୍ରାୟ ୧୪୬ ଗ୍ରାମ ପ୍ରଭାବିତ ହୋଇଛି। ଏପରିକି ସ୍କୁଲ ଏବଂ କଲେଜଗୁଡିକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି।

Share