୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା। ତଥାପି ଲୋକଙ୍କ ସମସ୍ୟା ବୁଝିବା ପାଇଁ ଶନିବାର ଦୀର୍ଘ ୪ କି.ମି ଚାଲି ଚାଲି ଗାଁରେ ପହଞ୍ଚିଥିଲେ ବିଡିଓ ଅକ୍ଷମିତା କାର୍ତ୍ତିକ । ଉକ୍ତ ଗ୍ରାମରେ ପହଞ୍ଚି ଘରକୁ ଘର ବୁଲି ରାଶନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଜବକାର୍ଡରେ କାମ ମିଳୁଛି କି ନାହିଁ ପଚାରି ବୁୁଝିଥିଲେ। ଗ୍ରାମର ଅଧିକାଂଶ ପରିବାର ଗୃହପାଳିତ ପ୍ରାଣୀ ରଖିଥିବା ବେଳେ ଗୁହାଳ ନ ଥିବା ଦେଖିବାକୁ ପାଇଥିଲେ। ଏମଏଜିଏନ୍‌ଆର୍‌ଇଜିଏସ୍‌ରେ ଗୁହାଳ ଘର ଯୋଗାଇ ଦେବା ପାଇଁ ବିଡିଓ ନାମ ପଞ୍ଜୀକୃତ କରିଥିଲେ। କୁର୍ମାକୋଟ ଠାରୁ କାଦମାଳି ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ବୃଦ୍ଧା ସାବି ସାନ୍ତାଙ୍କୁ ବିଡିଓ ଏକ ହଜାର ଟଙ୍କା ପ୍ରଦାନ କରିଥିଲେ। ନୂଆଗୁଡା, କାନ୍ଦ୍ରାଗୁଡା, କାଦମାଳି, ଖୁଣ୍ଟିପଦର ଆଦି ଗ୍ରାମର ସମସ୍ୟା ସମାଧାନ ତୁରନ୍ତ କରାଯିବ ବୋଲି ବିଡିଓ କହିଥିଲେ। ବିଡିଓଙ୍କ ସହ କନିଷ୍ଠ ଯନ୍ତ୍ରୀ ଭରତ ରାଉତ,ମୁନା ଭତ୍ରା ମଧ୍ୟ କାଦମାଳି ଗ୍ରାମକୁ ଯାଇଥିଲେ।

Share