Categories: ଜାତୀୟ

୪ ଜେଇଏମ୍‌ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୩ା୨(ପି.ଟି.): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣର ପାକିସ୍ତାନୀ ମାଷ୍ଟରମାଇଣ୍ଡଙ୍କ ୪ ସହଯୋଗୀ ଜୈଶ-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି। ଗତବର୍ଷ ସେପ୍ଟେମ୍ବରରେ ଦାଖଲ ଚାର୍ଜଶିଟ୍‌ରେ ପୁଲ୍‌ଓ୍ବାମା ଆକ୍ରମଣ ମାଷ୍ଟରମାଇଣ୍ଡ ମୁଦାସିର୍‌ ଅହମଦ ଖାନ୍‌ଙ୍କ ଘନିଷ୍ଠ ସହଯୋଗୀ ଜେଇଏମ୍‌ ସଦସ୍ୟ ସଜ୍ଜାଦ ଅହମଦ ଖାନ୍‌ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିବା କୁହାଯାଇଥିଲା। ବୁଧବାର ୪ ଜେଇଏମ୍‌ ସଦସ୍ୟଙ୍କ ବିରୋଧରେ ଅପରାଧ ଷଡ଼ଯନ୍ତ୍ର, ଭାରତ ସରକାରଙ୍କ ବିରୋଧରେ ଯୁଦ୍ଧ ଆହ୍ବାନ କରିବା ବା ଯୁଦ୍ଧଭଳି ସ୍ଥିତି ସୃଷ୍ଟି କରିବା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିକାର) ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ସଜ୍ଜାଦ ଅହମଦ ଖାନ୍‌, ବିଲାଲ ଅହମଦ ମୀର୍‌, ଇଶ୍‌ଫାକ୍‌ ଅହମଦ ଭଟ୍ଟ ଏବଂ ମେହରାଜ-ଉଦ୍‌-ଦିନ୍‌ ଚୋପାନ। ସମସ୍ତେ ପୁଲ୍‌ଓ୍ବାମା ବାସିନ୍ଦା। ଗତବର୍ଷ ମାର୍ଚ୍ଚରେ ସୁରକ୍ଷାକର୍ମୀଙ୍କ ସହ ଏନ୍‌କାଉଣ୍ଟରରେ ମୁଦାସିର ନିହତ ହେବା ପରେ ତାଙ୍କ ବିରୋଧରେ ଅଭିଯୋଗ ପ୍ରତ୍ୟାହାର କରିନିଆଯାଇଛି।

Share